ଓଲଟିଲା ଭ୍ୟାନ୍‌: ଜଣେ ମୃତ, ୧୫ ଗୁରୁତର

ଆର୍‌.ଉଦୟଗିରି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକ ଗୁଆର ଗାଁ ନିକଟରେ ମଙ୍ଗଳବାର ଏକ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଦିଲିସମଣି ରଇତ (୨୨)। ଆହତମାନଙ୍କୁ ପ୍ରଥମେ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରା.ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନାଧିକାରୀ ରବିନ୍ଦ୍ର କୁମାର ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ରେବିଡିଠାରୁ ଏକ ଭ୍ୟାନ୍‌ ନୂଆଗଡ଼ ଯାଉଥିଲା। ତେବେ ଗୁଆର ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ରେବିଡି ଗାଁର ଦିଲିସମଣି ରଇତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତରମାନେ ହେଲେ ଦୀପକ ରଇତ (୪), ପ୍ରବୀଣ ସେନ ମଣ୍ଡଳ (୧୭), ଅଭିରାମ ଦଳବେହେରା (୪୭), ମନିକା ରଇତ (୬), ଯାନିଏଲ ମଣ୍ଡଳ (୨୦), ମେଥି ମଣ୍ଡଳ (୫୦),
ପିତାସ ମଣ୍ଡଳ (୩୮), ପ୍ରବଞ୍ଜନୀ ମଣ୍ଡଳ(୨୧) ପ୍ରମୁଖ ବୋଲି ଜଣାପଡ଼ିଛି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିବା ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସତ୍ୟରଞ୍ଜନ ତ୍ରିପାଠୀ କହିଛନ୍ତି।