କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ବାଲେଶର ଅଫିସ, ୭।୧୧: ରାଜ୍ୟରେ ନିଶା ବେପାର ଥମିବାର ନାଁ ନେଉନି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଶା ସାମଗ୍ରୀ ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି। ବିଶେଷ କରି ବାଲେଶ୍ୱରରେ ବ୍ରାଉନସୁଗାର କାରବାର ବଢ଼ି ବଢ଼ି ଚାଲିଛି। ଏହାରି ମଧ୍ୟରେ ବାଲେଶ୍ୱରରୁ ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ସ୍ଥିତ ଏକ ହୋଟେଲ ଉପରେ ଶନିବାର ଚଢ଼ାଉ କରିଥିଲେ। ସେଠାରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଗିରଫ ୩ ଜଣ ହେଲେ ସେକ ଜମ୍ମିର, ପ୍ରଭାତ ସେଠୀ ଓ ଯଶବନ୍ତ ବାଗ। ସେମାନଙ୍କ ନିକଟରୁ ନଗଦ ୮୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ବୋଲି ସୂଚନା ମିଳିଛି।