ଦିଗପହଣ୍ଡି,୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରରେ ରହୁଥିବା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏଲ.ଶିବା ରେଡ୍ଡୀଙ୍କୁ ଦିଗପହଣ୍ଡି ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା ସୋମବାର ଛିନ୍ତାଇ ମାମଲାରେ ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି। କେଶନ ନଂ.୨୭୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ରାତି ପ୍ରାୟ ସାଢେ ୧୦ ଟାରେ ଦିଗପହଣ୍ଡି ଥାନା ବରପଲ୍ଲୀ ଗ୍ରାମର ଧର୍ମପଦ ଭୁଁୟା ସିଦ୍ଧେଶ୍ୱର ଗ୍ରାମରେ କାମ ସାରି ବାଇକ (ନଂ.ଓଡ଼ି ୦୭ ଏ ଏଲ -୭୯୭୩) ଯୋଗେ ଘରକୁ ଫେରୁଥିବା ବେଳେ ବନ୍ଥପଲ୍ଲୀ ଗ୍ରାମ କେନାଲ ଚାରିଛକ ଫୋନ ଟାୱାର ପାଖରେ ଅଭିଯୁକ୍ତ ଶିବା ସହ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ସାଇ ଗୌଡ଼ ଅନ୍ୟ ଜଣେ ଅଚିହ୍ନା ଯୁବକ ଅନ୍ୟ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ। ଜଣେ ଅଜଣା ଦୁର୍ବୃତ୍ତ ଏକ କଟୁରୀ ତାଙ୍କ ବେକ ପାଖରେ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ସେମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ତାଙ୍କ ପକେଟରୁ ଟଙ୍କା ଲୁଟି ନେବା ସହ ତାଙ୍କୁ ରାସ୍ତାକଡ ଡ୍ରେନକୁ ଠେଲି ଦେଇ ତାଙ୍କ ବାଇକକୁ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏନେଇ ଧର୍ମପଦ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଗିରଫ ଅଭିଯୁକ୍ତ ଶିବାଙ୍କ ନାଁ ରେ ଦିଗପହଣ୍ଡି ସମେତ ବ୍ରହ୍ମପୁରର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର ଥିବା ଜଣାପଡିଛି।


