ବେଳାଭୂମି ପାସ୍‌ ବିକ୍ରି ଅଭିଯୋଗରେ ଜଣେ ଅଟକ

ବ୍ରହ୍ମପୁର ଅଫିସ,୨୮।୧୨: ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ଅନ୍‌ଲାଇନରେ ପାସ୍‌ ପାଇବା ପାଇଁ ଓଏଲ୍‌ଏକ୍ସ ୱେବ୍‌ସାଇଟର ଆଇଡି ପ୍ରସ୍ତୁତ କରି ଦୁଇଦିନ ତଳେ ଜଣେ ଯୁବକ ଧରାପଡ଼ିଥିଲେ। ସେହିପରି ପୁଣି ଦୁଇଜଣ ଯୁବକ ନକଲି ପାସ୍‌ ଧରି ବେଳାଭୂମି ମହୋତ୍ସବକୁ ଯିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ୧୭ ବର୍ଷର ଦୁଇ ଯୁବକ ନକଲି ପାସ୍‌ ଧରି ମହୋତ୍ସବ ଦେଖିବାକୁ ଯାଉଥିବା ବେଳେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଧରାପଡ଼ିଥିଲେ। ପୋଲିସର ପଚରାଉଚରା ବେଳେ ସମ୍ପୃକ୍ତ ଯୁବକ ଦ୍ୱୟ ଜଣେ ବ୍ୟକ୍ତିଙ୍କଠାରୁ ଦୁଇଟି ପାସ୍‌ ଟଙ୍କା ଦେଇ କ୍ରୟ କରିଥିବା କହିଥିଲେ। ପୋଲିସ ଏହାକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହେବ ବୋଲି ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ ବିବୃତି ଜାରି କରାଯାଇଛି। ପାସ୍‌ଗୁଡ଼ିକ ବିକ୍ରିଯୋଗ୍ୟ ନୁହେଁ, ତେଣୁ ଯେକୌଣସି ବ୍ୟକ୍ତି ଏଭଳି ବିକ୍ରି ହେଉଥିବା ଖବର ପାଇଲେ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।