ଉଦଳା,୨୯।୪(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ନାମରେ ସାଂଘାତିକ ଅଭିଯୋଗ। ଚଢ଼ାଉ କରିବା ବେଳେ ବିନା ଦୋଷରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଫଳରେ ଯୁବକ ଜଣକ ଦେଢ଼ ମାସ ଜେଲ୍ରେ ବିତାଇଥିବା ଉଦଳା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଗୃହରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ସହ ଏସ୍ପିଙ୍କୁ ନ୍ୟାୟ ମାଗିଛନ୍ତି।
ଅଭିଯୋଗକାରୀ ଯୁବକ ହେଲେ ଜଣକ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ। ସେ ଦର୍ଶାଇଛନ୍ତି ଯେ, ୨୦୨୩ ଜୁଲାଇ ୧୮ରେ ଖୁଣ୍ଟା ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେ ଘରେ ନ ଥିଲେ। ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସ ଘର ତଲାସି କରି ୭୯ ହଜାର ଟଙ୍କା ଜବତ କରି ନେଇଥିଲା ଏବଂ ତାଙ୍କୁ ଥାନାକୁ ଯିବାକୁ କହିଥିଲା। ପରଦିନ ସେ ଥାନାକୁ ଯାଇଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଜବତ ଟଙ୍କା ସହ ନିଜ ଆଡୁ ଏକ ଦେଶୀ ବନ୍ଧୁକ ଆଣି ପୋଲିସ ରଖି ଫଟୋ ଉଠାଇବା ସହ ଅଶ୍ୱିନୀଙ୍କ ଘରୁ ଟଙ୍କା ସହ ଦେଶୀ ବନ୍ଧୁକ ଜବତ ହୋଇଥିବା ଦର୍ଶାଇଥିଲା। ଏହି ବନ୍ଧୁକରେ ସେ ଶିକାର କରୁଥିବା ପୋଲିସ ନିଜ ତଦନ୍ତରେ ଦେଖାଇଥିଲା। କୋର୍ଟଚାଲାଣ ପରେ ବିନା ଦୋଷରେ ଜେଲରେ ଦେଢ଼ ମାସ ବିତାଇ ଫେରିବା ପରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି ସେ ବାରମ୍ବାର ଏସ୍ଡିପିଓଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନାହିଁ।
ଅନ୍ୟପଟେ ପୋଲିସ ତାଙ୍କ ଘର ତଲାସି ସମୟରେ ସାକ୍ଷୀ ପକାଇଥିବା ବ୍ୟକ୍ତି ମଧ୍ୟ ଅଶ୍ୱିନୀଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ଏବଂ କିଛି ସାକ୍ଷୀ ଘଟଣା ବାବଦରେ କିଛି ନ ଜାଣି ମଧ୍ୟ ସାକ୍ଷୀ ପଡ଼ିଥିବା ସେ କହିଛନ୍ତି।
ଏପରିକି ଏସ୍ଡିପିଓ ମଧ୍ୟ ଅଶ୍ୱିନୀଙ୍କ ସ୍ତ୍ରୀଙ୍କ ଅଭିଯୋଗର ତଦନ୍ତ କରି ତାଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ସାକ୍ଷୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିବା ସେ ଦର୍ଶାଇଛନ୍ତି। ହେଲେ ଏବେ ସୁଦ୍ଧା ନ୍ୟାୟ ମିଳି ନ ଥିବାରୁ ଶେଷରେ ଅଶ୍ୱିନୀ ଓ ତାଙ୍କ ସ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରେ ଏସ୍ପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟିଛନ୍ତି।


