୧୨ବର୍ଷରେ ଥରେ ହୁଏ ମା’ ଶୀତଳାଙ୍କ ଯାତ୍ରା

ଛତ୍ରପୁର,୨୩।୪(ଡିଏନଏ ): ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ପ୍ରତି ୧୨ ବର୍ଷକୁ ଥରେ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଛି ।
ଏହି ଅବସରରେ ଜ଼ିଲାପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ବାଇଁ, ସହକାରୀ ନିର୍ବାହୀଯନ୍ତ୍ରୀ ଇନ୍ଦ୍ରଜିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଯାତ୍ରା ପ୍ରସ୍ତୁତି ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଯାତ୍ରା କମିଟିର ସଭାପତି ବିଶ୍ୱନାଥ ସୁବୁଦ୍ଧି, ସମ୍ପାଦକ ସୁଦାମ ସାହୁ, ଉପସଭାପତି ପ୍ରବାସୀ ପ୍ରଧାନ, ସହସମ୍ପାଦକ କେ. ରାମେୟା, କୋଷାଧ୍ୟକ୍ଷ କେ. ବିମରାଜୂ, ଉପଦେଷ୍ଟା ପ୍ରମୋଦ ସାହୁ, ବିଜୟ ପ୍ରଧାନ, ଭଗବାନ ନାହାକ, ଅର୍ଜୁନ ବେହେରା ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମେ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ଏହି ଯାତ୍ରା ହେବାକୁ ନିଷ୍ପତ୍ତି ହୋଇଛି। ମେ ୨୯ ମଧ୍ୟ ରାତ୍ରରେ ମା’ଙ୍କ ଘଟ ସ୍ଥାୟୀ ମନ୍ଦିରକୁ ଫେରଯିିବେ। ତା ପରଦିନ ଶୋଭାଯାତ୍ରା ଓ ସାହି ଯାତ୍ରା ଅନୁଷ୍ଠିତ ହେବ। ୫ଟି ପଞ୍ଚାୟତର ୨୦ଟି ଗ୍ରାମ କମିଟିକୁ ନିମନ୍ତ୍ରଣ କରାଯିବ। ଯାତ୍ରା ଅବସରରେ ଲୋକ କଳା, ଲୋକ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଛି। ବୈଠକରେ ଯାତ୍ରା ପ୍ରସ୍ତୁତି ନେଇ କମିଟି ଗଠନ ହୋଇଛି।