Categories: ଖେଳ

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ର଼୍ୟାଙ୍କିଙ୍ଗ୍‌ ରାଉଣ୍ଡ ପ୍ରତିଯୋଗିତାରେ ଶୁକ୍ରବାର ଅବତୀର୍ଣ୍ଣ ହୋଇଥିଲେ। ଆଶାନୁଯାୟୀ ପ୍ରଦର୍ଶନ କରିବାରେ ସଫଳ ହୋଇ ନ ଥିଲେ କୌଣସି ତୀରନ୍ଦାଜ।

ର଼୍ୟାଙ୍କିଙ୍ଗ୍‌ ରାଉଣ୍ଡରେ ଦୀପିକା ଅଲିମ୍ପିକ୍ସ କ୍ୟାରିୟରର ଶ୍ରେଷ୍ଠ ଦ୍ରଦର୍ଶନ ଦେଇଥିଲେ ମଧ୍ୟ ୯ମ ସ୍ଥାନ ଅଧିକାର କରିବାକୁ ସକ୍ଷମ ହୋଇଥିଲେ। ମୋଟ ୭୨୦ରୁ ୬୬୩ ପଏଣ୍ଟ ହାସଲ କରିଥିଲେ ଦୀପିକା। ରାଉଣ୍ଡର ପ୍ରଥମାର୍ଦ୍ଧ ସୁଦ୍ଧା ଦୀପିକା ୩୩୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଫଳ ହୋଇଥିଲେ ଭାରତର ନଂ ୧ ମହିଳା ତୀରନ୍ଦାଜ। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୬୬୨ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ୬୪୦ ସ୍କୋର କରିଥିଲେ।

ପୁରୁଷ ର଼୍ୟାଙ୍କିଙ୍ଗ୍‌ ରାଉଣ୍ଡରେ ଅତନୁ ୩୫ତମ ସ୍ଥାନରେ ରହିଥିବା ବେଳେ ପ୍ରବୀଣ ୩୧ତମ ସ୍ଥାନରେ ରହିଥିଲେ। ସେହିପରି ତରୁଣଦୀପ ରାୟ ୩୭ ତମ ସ୍ଥାନରେ ରହିଥିଲେ। ପ୍ରତିଯୋଗିତାରେ କୋରିଆ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା।

Share