ହିଟ୍‌ ଫିଲ୍ମ ଦେବା ପରେ ବି କାହିଁକି ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ରେ ଏବେ ନେପୋଟିଜିମକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି। ଏଠି ଏମିତିବି କେତେଜଣ କଳାକାର ଅଛନ୍ତି ଯେଉଁମାନେ ହିଟ୍‌ ଫିଲ୍ମ ହେବା ପରେ ବି ମୁହଁ ଫେରାଇ ନେଇଛନ୍ତି। ଏମିତି ଜଣେ ନାୟିକା ହେଲେ ଗ୍ରେସି ସିଂ। ‘ଲଗାନ’ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ନାୟିକା କିନ୍ତୁ ବେଶିଦିନ ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରି ନ ଥିଲେ। ୨୦ ଜୁଲାଇ ୧୯୮୦ରେ ଜନ୍ମ ନେଇଥିବା ଏହି ନାୟିକା ଆଜି ବଡ ପରଦାଠାରୁ ବହୁ ଦୂରରେ। ଗ୍ରେସିଙ୍କ ପିତା ଜଣେ ଘରୋଇ କମ୍ପାନୀର କର୍ମଚାରୀ ହୋଇଥିବା ବେଳେ ମା’ଥିଲେ ଶିକ୍ଷୟିତ୍ରୀ। ସେମାନେ ଚାହୁଁଥିଲେ ଗ୍ରେସି ଡାକ୍ତର ଅବା ଇଞ୍ଜିନୟର ହୁଅନ୍ତୁ। କିନ୍ତୁ ସମୟ କ୍ରମେ ଗ୍ରେସି ପାଲଟି ଯାଇଥିଲେ କ୍ଲାସିକାଲ ଡ୍ୟାନ୍ସର। ଟେଲିଭିଜନ ଧାରାବାହିକରୁ କ୍ୟାରିୟର ଆରମ୍ଭ କରି ଏକାଥରେ ଲମ୍ଫ ମାରିଥିଲେ ବଲିଉଡ୍‌କୁ। ପ୍ରଥମ ଅଡିସନରେ ସିଲେକ୍ଟ ହୋଇ ପ୍ରଥମରୁ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିଲେ ଏହି ନାୟିକା। କିନ୍ତୁ ସେ କେବେ ଓ କାହିଁକି ବଲିଉଡ୍‌ ଦୁନିଆରୁ ଦୂରେଇ ଗଲେ ତାହା କେହି ଜାଣନ୍ତି ନାହିଁ। ନିକଟରେ ଏକ ସାକ୍ଷାତ୍‌କାରରେ ଗ୍ରେସି କହିଛନ୍ତି, ମୁଁ ପରିଶ୍ରମ କରପାରେ କିନ୍ତୁ କାହାର ଚାଟୁକାର ହୋଇ ନ ପାରେ। ଗୋଟିଏ ଚରିତ୍ର ପାଇଁ ପ୍ରଯୋଜକଙ୍କ ନିକଟକୁ ଯିବା, ପାର୍ଟି ଆଟେଣ୍ଡ କରିବା ଏସବୁ ତାଙ୍କ ପାଇଁ ସହଜ କାମ ନ ଥିଲା। ତେଣୁ ସେ ଜାଣନ୍ତି ନାହିଁ କେବେ ସେ ବଲିଉଡ୍‌ରୁ ବାହାରୁକ ଚାଲି ଆସିଛନ୍ତି। ଏବେ ଏହି ନାୟିକା ଟେଲିଭିଜନ ପରଦାରେ ଅଭିନୟ କରୁଥିବା ବେଳେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଖୋଲିଛନ୍ତି।

Share