ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ସପ୍ତାହରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମିଳିତ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି କହିଛି ଯେ ଗତ ସପ୍ତାହରେ ଦେଢ଼ କୋଟିରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଅପରପକ୍ଷରେ ଏହି ସମୟ ମଧ୍ୟରେ ୪୩,୦୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ତେବେ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଆଫ୍ରିକା ବ୍ୟତୀତ ପୃଥିବୀର ଅଧିକାଂଶ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଫ୍ରିକାରେ, ସଂକ୍ରମଣରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଗତ ସପ୍ତାହରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଓମିକ୍ରନ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି। ଓମିକ୍ରନ ସଂକ୍ରମଣ ଡେଲ୍ଟାକୁ ବଳି ଯାଇଛି।
ଓମିକ୍ରନ ଯୋଗୁ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କଠାରେ ପୁନର୍ବାର ସଂକ୍ରମଣ ଘଟୁଛି। ସେହିପରି ଯେଉଁମାନଙ୍କର ଟିକାକରଣ କରାଯାଇଛି, ସେମାନେ ମଧ୍ୟ କରୋନାର ଓମିକ୍ରନ୍ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।
ଆକଳନଗୁଡିକ ଦର୍ଶାଉଛି ଯେ ଓମିକ୍ରନ୍ ସଂକ୍ରମଣ ଅଧିକ ବେଗରେ ବିସ୍ତାର କରୁଛି । ୧ ଡିସେମ୍ବର ୨୦୨୧ରେ, ୬ ଲକ୍ଷ ୭୮ହଜାର ମାମଲା ରେକର୍ଡ ହୋଇଥିଲା। ୨୦୨୨ ଜାନୁୟାରୀ ୧ ରେ ୧୭ ଲକ୍ଷ ୭୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୨ ଜାନୁୟାରୀ ୨୦୨୨ ରେ, ଏହି ସଂଖ୍ୟା ୨୮ ଲକ୍ଷ ୪୬ ହଜାରକୁ ବୃଦ୍ଧି ପାଇଛି। ମାତ୍ର ୧୨ ଦିନରେ ଦୈନିକ ସଂକ୍ରମଣରେ ୯ ଲକ୍ଷ ବୃଦ୍ଧି ଘଟିଛି। ସଂକ୍ରମଣରେ ପୂର୍ବ ଲହର ତୁଳନାରେ ତିନି ଗୁଣାରୁ ଅଧିକ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି।
କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ଦେଶରେ ଟିକାକରଣ ଅଭିଯାନ ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକ ବୃହତ୍ ଜନସଂଖ୍ୟାଙ୍କର ଟିକାକରଣ ହୋଇନାହିଁ । ଆଫ୍ରିକାର ଜନସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ଏପର୍ଯ୍ୟନ୍ତ ଗୋଟିଏ ବି ଡୋଜ୍ ପାଇନାହାଁନ୍ତି।
ଏପରିସ୍ଥଳେ ଆମେରିକା ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନକୁ ହାଲୁକା ଭାବେ ନ ନେବାକୁ ଚେତାବନୀ ଦେଇଛି। ଏଭଳି ଭୁଲ ନକରି କରୋନା ମାର୍ଗଦର୍ଶିକାକୁ ସାବଧାନତାର ସହିତ ପାଳନ କରିବା ଲାଗି ସଂଗଠନ ପକ୍ଷରୁ କୁହାଯାଇଛି।


