ଆନନ୍ଦପୁର/ହାଟଡିହୀ, ୨୨।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ଗତ ଗୁରୁବାରଠାରୁ ନିଖୋଜ ଥିବା ଗଙ୍ଗାଧର ନାୟକ (୬୨)ଙ୍କ ମୃତଦେହ ନିକଟସ୍ଥ ପଥରକୁଣ୍ଡି ଜଙ୍ଗଲରୁ ଉଦ୍ଧାର କରାଯାଇଛି।
ମୃତକଙ୍କ ପୁଅ ପ୍ରସନ୍ନ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ପ୍ରାୟ ସକାଳ ୧୦ଟା ସମୟରେ ତାଙ୍କ ବାପା ଜାଳେଣି କାଠ ସଂଗ୍ରହ ପାଇଁ ପଥରକୁଣ୍ଡି ଜଙ୍ଗଲକୁ ଯାଇଥିଲେ, କିନ୍ତୁ ପରେ ଘରକୁ ଫେରି ନ ଥିଲେ।ପରବର୍ତ୍ତୀ ସମୟରେ କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ମୃତକଙ୍କ ଗୋଡ଼ର ଆଙ୍ଗୁଠିକୁ ବନ୍ୟ ପ୍ରାଣୀ ଖାଉଥିବା ଦେଖି ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଅଂଶୁଘାତ (ହିଟ୍ ଷ୍ଟ୍ରୋକ୍) ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ।ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ଓ ଘସିପୁରା ଥାନାଧିକାରୀ କିଶୋର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।ପୋଲିସ ମୃତଦେହକୁ ଜବତ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ପୋଲିସ କହିଛି ଯେ, ମୃତକଙ୍କ ଗୋଡ଼ର ଆଙ୍ଗୁଠି ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ଦେଖାଯାଇନାହିଁ।ଏନେଇ ଏକ ଯୁଡି ମାମଲା ନଂ ୨୩/୨୦୨୬ ରୁଜୁ କରାଯାଇଥିବାବେଳେ, ଘଟଣାର ତଦନ୍ତ ଜାରି ରହିଛି।