ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ଦେବଗଡ଼,୫ା୯(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ପଞ୍ଚାୟତ କାଲକାଠ ନିକଟ ଫଟାଟାଙ୍ଗର ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଯଶପିନ କୁଜୁର (୬୨)ଙ୍କ ମୃତ୍ୟୁ ଘଟିଛି। ସେ ଉକ୍ତ ଗ୍ରାମର ସ୍ବର୍ଗତ ରାଜୁ କୁଜୁରଙ୍କ ସ୍ତ୍ରୀ। ଯଶପିନ ନିଜ ଚାଷଜମିରୁ ଏକ ଜଙ୍ଗଲିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗିଦେବା ସହ ପାଦରେ ଦଳିଦେଇ ପାଖ ଜଙ୍ଗଲକୁ ପଳାଇଥିଲା। ଉକ୍ତ ଜାଗାଟି ନିଛାଟିଆ ଥିବାରୁ କେହି ଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ସୋମବାର ସକାଳୁ ଜଙ୍ଗଲକୁ ଯାଇଥିବା ଲୋକେ ଯଶପିନଙ୍କ ମୃତଦେହ ଦେଖି ତାଙ୍କ ପରିବାର ଓ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବରପାଇ ଦେବଗଡ଼ ରେଞ୍ଜ୍‌ ଅଫିସର ଦେବଦତ୍ତ ନନ୍ଦ ଓ ଫରେଷ୍ଟର ଭୀମସେନ ଶତପଥୀଙ୍କ ସହ ଫରେଷ୍ଟ ଗାର୍ଡ ଅଶୋକ ପାନ୍ନା, ହରପ୍ରିୟା ସାହୁ ତଥା ସ୍ବତନ୍ତ୍ର ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପ୍ରାଥମିକ ଭାବେ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଖୁବ୍‌ଶୀଘ୍ର ତାଙ୍କ ପରିବାରକୁ ସରକାରୀ ଧାର୍ଯ୍ୟ ମୁତାବକ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜ୍‌ ଅଫିସର ନନ୍ଦ କହିଛନ୍ତି। ସୋମବାର ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।