Categories: ମେଟ୍ରୋ

ଏଣିକି ପଡି ରହିଥିବା ପୁରୁଣା ମାମଲା ତୁରନ୍ତ ଫଇସଲା ହେବ

ଭୁବନେଶ୍ୱର,୩।୯ (ବ୍ୟୁରୋ): ରାଜଧାନୀରେ ଆଉ ଏକ ପରିବାର ଅଦାଲତ ଖୋଲିଛି। ଭୁବନେଶ୍ବର କୋର୍ଟ ପରିସରରେ ଶୁକ୍ରବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ପ୍ରଥମ କୋର୍ଟ ଉପରୁ ଚାପ ହଟିବା ସହ ପରିବାର ଅଦାଲତରେ ପଡି ରହିଥିବା ପୁରୁଣା ମାମଲାଗୁଡିକ ତୁରନ୍ତ ଫଇସଲା ହୋଇପାରିବ ବୋଲି ମୁଖ୍ୟ ବିଚାରପତି ଆଶା ପ୍ରକଟ କରିଛନ୍ତି। ଏହି ଅଦାଲତରେ ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ମାମଲାଗୁଡ଼ିକ ବିଚାର କରାଯିବ। ବର୍ତ୍ତମାନ ଏହା ସିବିଆଇ ବିଲ୍ଡିଂରେ କାର୍ଯ୍ୟ କରିବ। ପରେ ଏହାକୁ ଜୁଡିସିଆଲ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି।
କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲା ପ୍ରଶାସନିକ ବିଚାରପତି ସୁବାଶିଷ ତାଳପତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଚାରପତି ବି.ଆର୍‌. ଷଡଙ୍ଗୀ, କେ.ଆର. ମହାପାତ୍ର, ଆର.କେ ପଟ୍ଟନାୟକ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଆଦିତ୍ୟ ମହାପାତ୍ର, ଜଷ୍ଟିସ ବି. ନରସିଂହା, ଜଷ୍ଟିସ ବି.ପି. ଶତପଥୀ, ଜଷ୍ଟିସ ମୁରାହରି ଶ୍ରୀରମନ୍‌ ପ୍ରମୁଖ ଯୋଗଦେଇଥିଲେ। ଜିଲା ଜଜ୍‌ ନିଶିଥ୍‌ ନିଶଙ୍କ ସ୍ବାଗତ ଭାଷଣ ଦେଇଥିବାବେଳେ ଏସ୍‌ଡିଜେଏମ୍‌ ଆଲୋକ କୁମାର ପଣ୍ଡା ଓ ରେଜିଷ୍ଟାର ହିମାଂଶୁ ଶେଖର ସିଂ ପରିଚାଳନା କରିଥିଲେ। ଓକିଲ ସଂଘ ସଭାପତି ରବି ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘ ସମ୍ପାଦକ ରାଜ କିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ବାଇଁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର ଦାସଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।