Categories: ବାଣିଜ୍ୟ

ଛଟେଇ କରିବନି ଓ୍ବିପ୍ରୋ

ବାଙ୍ଗାଲୁରୁ,୧୩।୭: ଦେଶର ପ୍ରମୁଖ ଆଇଟି ଫାର୍ମ ଓ୍ବିପ୍ରୋ ଲିମିଟେଡ କୋଭିଡ୍‌-୧୯ ସମୟରେ କର୍ମଚାରୀଙ୍କୁ ଛଟେଇ କରିବନି। ବର୍ତ୍ତମାନ କମ୍ପାନୀ ଏଭଳି କୌଣସି ଯୋଜନା ରଖିନାହିଁ ବୋଲି ଅଧ୍ୟକ୍ଷ ରିସଦ୍‌ ପ୍ରେମଜୀ ସୋମବାର ସ୍ପଷ୍ଟ କରିଛନ୍ତି। ଭିଡିଓ କନଫେରିନସି ମାଧ୍ୟମରେ ଅନୁଷ୍ଠିତ କମ୍ପାନୀର ୭୪ତମ ବାର୍ଷିକ ସାଧାରଣ ସଭା(ଏଜିଏମ) ରିସଦ କହିଛନ୍ତି ଯେ, କମ୍ପାନୀର ୯୫% କର୍ମଚାରୀ ବର୍ତ୍ତମାନ ଘରେ ରହି କାମ କରୁଛନ୍ତି। ଆଗାମୀ ଦିନରେ ଯଦି ସ୍ଥିତିରେ ସୁଧାର ନ ଆସେ ତେବେ (ଓ୍ବାର୍କ ଫର୍ମ ହୋମ)କୁ ୧୨ରୁ ୧୮ମାସ ପର୍ଯ୍ୟନ୍ତ ବଢାଯାଇ ପାରେ। କର୍ମଚାରୀଙ୍କ ସୁରକ୍ଷାକୁ କମ୍ପାନୀ ସର୍ବଦା ଗୁରୁତ୍ୱ ଦେବ। ସେହିଭଳି ଆମେରିକାରେ କରୋନା ଯୋଗୁ ଫସି ରହିବା ସହ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା କମ୍ପାନୀର ୭୦% କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଯୋଜନା ରଖାଯାଇଛି। ସେମାନଙ୍କୁ ଭାରତରେ କାମ କରିବାର ସୁଯୋଗ ଦିଆଯିବି ବୋଲି ସେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ କମ୍ପାନୀରେ ମୋଟ ୧.୮୮ ଲକ୍ଷ କର୍ମଚାରୀ ଥିବା ବେଳେ ୪୧ ହଜାର କର୍ମଚାରୀ ବିଦେଶରେ କାର୍ଯ୍ୟ କରୁଛନ୍ତି।

Share