Categories: ବାଣିଜ୍ୟ

ରେକର୍ଡ ଭାଙ୍ଗୁଛି ତେଲ, କମୁନି ଟିକସ

ମୁମ୍ବାଇ: ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ଭାଙ୍ଗିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ଟପିଥିବା ବେଳେ ମୁମ୍ବାଇରେ ୯୧ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଛି। ଭୁବନେଶ୍ୱରରେ ତେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଦିଲ୍ଲୀରେ ଡିଜେଲ ୭୪.୮୮ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୮୧.୬ ଟଙ୍କା ରହିଛି। କରୋନା କାଳରେ ଲଗାତର ତେଲ ଦର ବୃଦ୍ଧି ଖାଉଟିଙ୍କ ସମସ୍ୟାକୁ ବଢାଉଛି। ଏଭଳି ସ୍ଥିତିରେ ତେଲ ଉପରେ ଲାଗୁ ହେଉଥିବା ଟିକସ କମାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଲ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ ହେଉଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ସାମାନ୍ୟ ବଢିଲେ ମଧ୍ୟ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ବଢାଉଛନ୍ତି। ଲଗାତର ୨ ଦିନ ବଢିବା ପରେ ଶୁକ୍ରବାର ଦରରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ।
ବର୍ତ୍ତମାନ ଲୋକମାନେ ପେଟ୍ରୋଲ ପିଛା ୩୨.୯୮ ଟଙ୍କାର ଉତ୍ପାଦ ଟିକସ ପ୍ରଦାନ କରୁଛନ୍ତି। ଡିଜେଲ ଉପରେ ଏହା ୩୧.୮୩ ଟଙ୍କା ରହିଛି। ସେହିଭଳି ପେଟ୍ରୋଲରେ ୧୯.୩୨ ଟଙ୍କାର ଭାଟ୍‌ ଲାଗୁ ହେଉଥିବା ବେଳେ ଡିଜେଲରେ ଏହା ୧୦.୮୫ ଟଙ୍କା ରହିଛି। ରାଜ୍ୟଗୁଡିକ ସ୍ତରରେ ଏହା ଭିନ୍ନ ଭିନ୍ନ ରହୁଛି। ସରକାର ଟିକସ ହ୍ରାସ କରୁ ନ ଥିବା ବେଳେ ଖାଉଟିଙ୍କ ଏକ ମାତ୍ର ଭରସା ହେଲା ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ। ଗୋଟିଏ ଦିନ ତଳେ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୭ ଡଲାର ରହିଥିଲା। ଏହା ଶୁକ୍ରବାର ୫୫.୬୪ ଡଲାରକୁ ଖସିଛି। କେତେକ ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଥିବାରୁ ବଜାର ଏବେ ଚ୍ୟାଲେଞ୍ଜିଂ ସ୍ଥିତି ଦେଇ ଗତି କରୁଛି। ଭାରତ ବ୍ୟବହାର କରୁଥିବା ମୋଟ ଇନ୍ଧନର ୮୦% ଆମଦାନୀ କରୁଛି। ତେଲ ଉପରେ ଯଦି ସରକାର ଟିକସ ହ୍ରାସ କରନ୍ତେ ଏହା ଦ୍ୱାରା ଖାଉଟି ଲାଭବାନ ହୁଅନ୍ତେ।

Share