ହାଃ ନିଦ୍ରା…

ପ୍ର. ରମେଶ ଚନ୍ଦ୍ର ପରିଡ଼ା

 

ଖାଦ୍ୟାଭାବ କିପରି କରାଳ ରୂପ ନେଇପାରେ, ତାହାର ଏକ ନିଖୁଣ ଚିତ୍ର ପ୍ରଦାନ କରିଥିଲେ ଜନପ୍ରିୟ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ତାଙ୍କ କାଳଜୟୀ ଉପନ୍ୟାସ ‘ହାଃ ଅନ୍ନ’ରେ। ସ୍ବାଧୀନତା ପ୍ରାପ୍ତି ପରେ ପରେ କିଛି ମାତ୍ରାରେ ଏହା ଅଙ୍ଗ ନିଭେଇଥିଲେ ହେଁ ବର୍ତ୍ତମାନ ଆମେ ଶସ୍ୟ ଉତ୍ପାଦନରେ ଏକ ବଳକା ଦେଶ- ଡକ୍ଟର ଏମ୍‌. ଏସ୍‌. ସ୍ବାମୀନାଥନ ଓ ତାଙ୍କ ସହଯୋଗୀ ଦକ୍ଷ କୃଷିବିଜ୍ଞାନୀମାନଙ୍କ ‘ସବୁଜ ବିପ୍ଳବ’କୁ ଧନ୍ୟବାଦ। ତେବେ ଏହି ସଘନ କୃଷି ସହିତ ବ୍ୟାପକ ଶିଳ୍ପ ନଗରୀକରଣ ଏବେ ଉତ୍ପନ୍ନ କରିଛି ‘ହାଃ ଜଳ’ ଏବଂ ‘ହାଃ ବାୟୁ’ ସମସ୍ୟା ଯଥାକ୍ରମେ ଜଳ ଓ ବାୟୁ ପ୍ରଦୂଷଣ ମାଧ୍ୟମରେ। ପୁନଶ୍ଚ ଏହା ମଧ୍ୟ ଆଣିଛି ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ, ଯାହାକି ଅପହରଣ କରିବାରେ ଲାଗିଛି ଆମ ନିଦ୍ରା। ଅତଏବ ସୃଷ୍ଟି ହୋଇଛି ‘ହାଃ ନିଦ୍ରା’ ଅବସ୍ଥା।
ସୁସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ଉତ୍ତମ ଖାଦ୍ୟ, ପାନୀୟ ଏବଂ ବାୟୁ ଭଳି ନିଦ୍ରା ମଧ୍ୟ ଅତ୍ୟାବଶ୍ୟକ। ତେବେ ଆଧୁନିକ ଜୀବନଶୈଳୀ ହେତୁ କ୍ରମେ ଏହି ପ୍ରାକୃତିକ ପ୍ରକ୍ରିୟା ବଦଳିବାରେ ଲାଗିଛି। ‘ଜୈବିକ ଘଟିକା’ର ଏହି ଅନିୟମିତତାର ଅନ୍ୟ ଏକ ଗମ୍ଭୀର ପରିପ୍ରକାଶ ହେଲା ନିଦ୍ରାହୀନତା। କ୍ରମଶଃ ଏହା ଅଧିକରୁ ଅଧିକ ବ୍ୟାପକ ଏବଂ ଉତ୍କଟତର ହୋଇ ଏବେ ଏକ ମହାମାରୀର ରୂପ ନେଲାଣି।
ଏକ ଆକଳନ ଅନୁସାରେ ବର୍ତ୍ତମାନ (୨୦୨୨, ନଭେମ୍ବର) ଆମ ଦେଶର ୨.୯ କୋଟି ଲୋକ ବିଭିନ୍ନ ମାତ୍ରାରେ ନିଦ୍ରାହୀନତାର ଶିକାର ହୋଇଛନ୍ତି। ଆମେରିକାନ୍‌ ହାର୍ଟ ଆସୋସିଏଶନର ବୈଜ୍ଞାନିକମାନଙ୍କ ମତରେ ଦିନକୁ ୭ରୁ ୮ ଘଣ୍ଟା ନିଦ୍ରା ନ ଯିବା, ଧୂମପାନ, ଶାରୀରିକ ଶ୍ରମହୀନତା, ଅସ୍ବାସ୍ଥ୍ୟକର ଖାଦ୍ୟ, ପୃଥୁଳତା ତଥା ରକ୍ତ ଶର୍କରା, କୋଲେଷ୍ଟରଲ ଓ ରକ୍ତଚାପ ବୃଦ୍ଧି ଆଦି ଭଳି ଅନ୍ୟ ଏକ ହୃଦ୍‌ରୋଗକାରୀ। ସୁସ୍ବାସ୍ଥ୍ୟ କେବଳ ନିଦ୍ରାର ଦୀର୍ଘତା ଉପରେ ନିର୍ଭର କରେ ନାହିଁ। ଏଥିପାଇଁ ତା’ର ମାନ ଏବଂ ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ନିଦ୍ରାକାଳକୁ ଦୁଇଭାଗରେ ବିଭକ୍ତ କରାଯାଏ। ଦ୍ରୁତ ଚକ୍ଷୁ ଚାଳନାକାଳ ଏବଂ ମନ୍ଥର ଚକ୍ଷୁ ଚାଳନାକାଳ। ଏହି ଦୁଇଟି ଅବସ୍ଥା ଗୋଟିକ ପରେ ଗୋଟିଏ ହୋଇ ଆସନ୍ତି। ପ୍ରଥମଟିରେ ନିଦ୍ରା ପତଳା ହୋଇଥାଏ। ଏହି ସମୟରେ ଆମେ ସ୍ବପ୍ନ ଦେଖୁ। ଅନ୍ୟପକ୍ଷରେ, ଦ୍ୱିତୀୟଟିରେ ନିଦ୍ରା ଗାଢ଼ ହୁଏ ଏବଂ ଚୟାପୟନ ତଥା ମସ୍ତିଷ୍କ କ୍ରିୟାଶୀଳତା ମନ୍ଥର ହୁଏ। ଅତଏବ ଶରୀର ପ୍ରକୃତରେ ବିଶ୍ରାମ ଲାଭ କରେ। କ୍ରମେ ଭିନ୍ନ ଭିନ୍ନ ସ୍ତର (୧ମ, ୨ୟ ଏବଂ ୩ୟ) ଦେଇ ଏହା ଦୀର୍ଘ ହେବାକୁ ଏବଂ ଦ୍ରୁତ ଚକ୍ଷୁଚାଳନା କାଳ କମ୍‌ ହେବାକୁ ଲାଗେ। କିନ୍ତୁ ବର୍ତ୍ତମାନ ଏହି ସୁନିଦ୍ରା କାଳ ସଂକୁଚିତ ହେବାରେ ଲାଗିଛି ବିଶେଷକରି ସହରାଞ୍ଚଳର ଲୋକମାନଙ୍କ ମଧ୍ୟରେ। ଏକ ଆକଳନ ଅନୁସାରେ ଅଧୁନା ଆମ ଦେଶର ମୋଟାମୋଟି ଭାବେ ୧୫ ଶତାଂଶ ଲୋକ ଏହା ପ୍ରାପ୍ତ ହେଉଛନ୍ତି। ସେହିପରି ଏହାର ୬୦ ଶତାଂଶ ଲୋକେ ସାମୟିକ ଅନିଦ୍ରା ହେଲା ବେଳେ ୪୦ ଶତାଂଶ ଲୋକେ କାର୍ଯ୍ୟ ଦିବସମାନଙ୍କରେ ୭ ଘଣ୍ଟାରୁ କମ୍‌ ସମୟ ନିଦ୍ରାଯିବାର ସୁଯୋଗ ପାଆନ୍ତି। ଅନ୍ୟପକ୍ଷରେ ମୁଖ୍ୟତଃ ମାନସିକ ଚାପ ପ୍ରାୟ ୪୬ ଶତାଂଶଙ୍କର ଅନିଦ୍ରାର କାରଣ। ଏଥିଯୋଗୁ ସେମାନଙ୍କ ମଧ୍ୟରୁ ୮୫ ଶତାଂଶଙ୍କର ପରବର୍ତ୍ତୀ ଦିନର କାର୍ଯ୍ୟକଳାପ ପ୍ରଭାବିତ ହେଉଛି।
କେବଳ ଆମ ଦେଶ କାହିଁକି, ସମଗ୍ର ବିଶ୍ୱରେ ନିଦ୍ରାହୀନତା ସମସ୍ୟା ପ୍ରାୟ ଏକାଭଳି। ତେବେ ଶିଳ୍ପ ସମୃଦ୍ଧ ବିକଶିତ ଦେଶମାନଙ୍କରେ ଏହା ଅଧିକ ଜଟିଳ ହେଲା ବେଳେ ବିକାଶଶୀଳ ଦେଶମାନଙ୍କରେ ଅପେକ୍ଷାକୃତ କମ୍‌। ଏହାର କାରଣ ଦ୍ୱିବିଧ ଆଧୁନିକ ଜୀବନଶୈଳୀ ଏବଂ ପରିବେଶ। ସମୟ ଥିଲା, ଯେତେବେଳେ ଅନ୍ଧକାର ମଧ୍ୟରେ ଆମର କଟୁଥିଲା ରାତ୍ରିର ଅଧିକାଂଶ ସମୟ। ଅତଏବ ନିଦ୍ରାକାରୀ ହରମୋନ ସେରୋଟୋନିନ୍‌ର ଅଧିକ ମାତ୍ରାରେ କ୍ଷରଣ ଘଟୁଥିଲା ପିନେଏଲ୍‌ ଗ୍ରନ୍ଥିରୁ। କିନ୍ତୁ ବର୍ତ୍ତମାନ ଆମେ ଉଜ୍ଜ୍ୱଳ ଆଲୋକ ମଧ୍ୟରେ କଟାଉଛୁ ରାତ୍ରିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏପରିକି ଅନେକଙ୍କୁ ଅଧିକାଂଶ ସମୟରେ ସାରା ରାତି କଟାଇବାକୁ ପଡୁଛି କଳକାରଖାନା ମଧ୍ୟରେ କିମ୍ବା କମ୍ପ୍ୟୁଟର ସହିତ। ସେମାନେ ଦିନରେ ନିଦ୍ରା ଯାଉଛନ୍ତି। ଏହା ସେମାନଙ୍କ ‘ଜୈବିକ ଘଟିକା’ର କ୍ରିୟାକଳାପକୁ ବିଭ୍ରାଟ କରୁଛି। ପୁନଶ୍ଚ ଏହି ଆଲୋକିତ ପରିବେଶ ମଧ୍ୟରେ ସେରୋଟୋନିନ୍‌ର ଯଥେଷ୍ଟ କ୍ଷରଣ ଘଟୁ ନ ଥିବାରୁ ନିଦ୍ରା ଗାଢ଼ ହେଉନାହିଁ। ଅନ୍ୟପକ୍ଷରେ ଆଜିକାଲି ରାସ୍ତାଘାଟ ଆଦିର ଆଲୋକ ପ୍ରଭାବରୁ ରାତି ମଧ୍ୟ ଆଗଭଳି ଯଥେଷ୍ଟ ଅନ୍ଧକାରମୟ ହେଉନାହିଁ, ଯାହାକି ଏ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଏହିସବୁ ପ୍ରଭାବ ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କଠାରେ ଅଧିକ ପରିଲକ୍ଷିତ ହେଉଛି।
ସୁନିଦ୍ରା ଆମ ମାନସିକ ତଥା ଶାରୀରିକ ସ୍ବାସ୍ଥ୍ୟ ପାଇଁ ଏକାନ୍ତ ପ୍ରୟୋଜନ। ଏ ସମୟରେ ଆମ ଚୟାପୟନ ହାର ପ୍ରାୟ ୧୫ ଶତାଂଶ ହ୍ରାସ ପାଏ ଏବଂ ଜୈବିକ ଘଟିକାର ଦୈନିକ ଢାଞ୍ଚା ସଠିକ ଅନୁସରଣ କରି ସକାଳ କେବଳ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥାଏ। ସେହିପରି ଏହାର ତୃତୀୟ ବା ଚରମସ୍ତରରେ ମନ୍ଥର ଚକ୍ଷୁଚାଳନା କାଳରେ ହୃତ୍‌ସ୍ପନ୍ଦନ ହାର, ଶ୍ୱାସକ୍ରିୟା ତଥା ତାପମାତ୍ରା ହ୍ରାସ ପାଇଲା ବେଳେ ମସ୍ତିଷ୍କର ସକ୍ରିୟତା ସର୍ବନିମ୍ନ ସ୍ତରକୁ ଚାଲିଯାଏ। ଏହି ସମୟରେ ଗ୍ରୋଥ୍‌ ହରମୋନ୍‌ କ୍ଷରିତ ହୁଏ ଏବଂ ରୋଗ ପ୍ରତିରୋଧ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅନ୍ୟପକ୍ଷରେ ନିଦ୍ରାହୀନତା ଉଚ୍ଚ ରକ୍ତଚାପ, ଟାଇପ୍‌-୨ ମଧୁମେହ, ପୃଥୁଳତା, ମାନସିକ ଚାପ, ହୃଦ୍‌ରୋଗ ଓ ସଂଘାତ, ଦୁଶ୍ଚିନ୍ତା, ମସ୍ତିଷ୍କର କ୍ରିୟାଶୀଳତା ହ୍ରାସ, ସ୍ମୃତିହୀନତା, ରୋଗ ପ୍ରତିରୋଧ ଶକ୍ତି ହ୍ରାସ, ବନ୍ଧ୍ୟାତ୍ୱ ଏବଂ ମାନସିକ ବିଭ୍ରାନ୍ତି ଆଦିର କାରଣ ହୋଇପାରେ। ଏବେ ଏ ସମସ୍ୟା ସାରା ଦେଶରେ ବଢ଼ି ବଢ଼ି ଚାଲିଛି। ତେବେ ଅତ୍ୟଧିକ ନିଦ୍ରା ମଧ୍ୟ ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। ଏହା ପୃଥୁଳତା, ମୁଣ୍ଡବ୍ୟଥା, ଅଣ୍ଟାବିନ୍ଧା, ଚୟାପୟନରେ ଅସ୍ଥିରତା, ମଧୁମେହ (ଟାଇପ୍‌-୨) ଆଦିର କାରଣ ହୋଇପାରେ। ଅବଶ୍ୟ ଏଭଳି ଲୋକଙ୍କ ସଂଖ୍ୟା ଅତି ନଗଣ୍ୟ।
ଆଜିର ଦୁନିଆରେ ଖାଦ୍ୟାଭାବ, ଅର୍ଥାତ୍‌ ‘ହାଃ ଅନ୍ନ’ ସମସ୍ୟା ପ୍ରାୟତଃ ସମାଧାନ ହେଲାଣି। ଜଳ ଓ ବାୟୁକୁ ପ୍ରଦୂଷଣମୁକ୍ତ କରିବା ମାଧ୍ୟମରେ ‘ହାଃ ଜଳ’ ଓ ‘ହାଃ ବାୟୁ’ ସମସ୍ୟା ଦୂର କରିବା ଲାଗି ଚାଲିଛି ଉଦ୍ୟମ। ତେବେ ସେଗୁଡ଼ିକ ସହିତ ସମାନଭାବେ ମାରାମତ୍କ ନିଦ୍ରାହୀନତା ଅର୍ଥାତ୍‌ ‘ହାଃ ନିଦ୍ରା’ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇ ନାହିଁ। ଆଲୋକ ପ୍ରଦୂଷଣରୁ ସୁରକ୍ଷା, କର୍ମକ୍ଷେତ୍ରରେ କମ୍ପ୍ୟୁଟର ଓ ରୋବଟ୍‌ର ଉପଯୋଗ ଦ୍ୱାରା ରାତ୍ରିରେ ବିଶ୍ରାମ ଲାଗି ଯଥେଷ୍ଟ ସମୟ ସୃଷ୍ଟି ସହିତ ‘ଜୈବିକ ଘଟିକା’ର ନିୟମିତତା ଓ ପ୍ରାକୃତିକତା ରକ୍ଷା କରାଯାଇପାରିଲେ ହୁଏତଃ ଏହାର କିଛିଟା ସମାଧାନ ହୋଇପାରିବ।
ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri