ଭୁବନେଶ୍ୱର, ୬।୩(ସୁନିତ୍ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ଶେଷ ଦିନରେ ମୋଟ୍ ୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭାଜପା ପକ୍ଷରୁ ପ୍ରଥମ ଦୁଇଟି ଆସନରେ ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ୩ୟ ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅର୍ଥାତ୍ ଏହି ୩ ଆସନରୁ ନାମାଙ୍କନ କରିଥିବା ୩ ଜଣ ଯାକ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବାର ସମ୍ଭାବନା ଅଧିକ। ହେଲେ ୪ର୍ଥ ଆସନରେ ନିର୍ବାଚନ ହେବ। କାରଣ ଏହି ଆସନରୁ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ସମର୍ଥିତ ଦତ୍ତେଶ୍ୱର ହୋତା ଏବଂ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ କରିଛନ୍ତି। ୪ର୍ଥ ଆସନ ଲାଗି ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପାଖରେ ୩୩ ଖଣ୍ଡ ଭୋଟ ରହିଛି। ଏହି ଆସନରୁ ଭାଜପା ସମର୍ଥିତ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପଙ୍କ ପାଖରେ ପ୍ରଥମ ପସନ୍ଦ ଭୋଟ୍ ଭାବେ ୨୨ ଖଣ୍ଡ ରହିଛି। ମାତ୍ର ନାମାଙ୍କନ ଦାଖଲ କରିସାରିବା ପରେ ଗଣମାଧ୍ୟମକୁ ଆସି ଦିଲ୍ଲୀପ ଦମ୍ଭୋକ୍ତି ଦେଖାଇ କହିଛନ୍ତି, ସେ ୨୦୦୨ ରାଜ୍ୟ ସଭା ନିର୍ବାଚନ ଭଳି ବିଜୟ ଲାଭ କରିବେ।
ଉଲ୍ଲେଖଯୋଗ୍ୟ, ୨୦୦୨ରେ ୪ଟି ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହୋଇଥିଲା। ସେହି ସମୟରେ ବିଜେଡିରୁ ୨ ଜଣ ସୁଶ୍ରୀ ଦେବୀ ଏବଂ ପ୍ରମିଳା ବହିଦାର ପ୍ରାର୍ଥୀ ହୋଇଥିଲେ। ଭାଜପାରୁ ଏକମାତ୍ର ପ୍ରାର୍ଥୀ ଭାବେ ସୁରେନ୍ଦ୍ର ଲାଠ ପ୍ରାର୍ଥୀ ହେଇଥିଲେ। କଂଗ୍ରେସରୁ ମୋରିସ କୁଜୁର ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ କିଛିଦିନ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିବା ଦିଲ୍ଲୀପ ରାୟ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହି ନିର୍ବାଚନରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୩ ଜଣ ଭୋଟ୍ ଦେଇ ନ ଥିଲେ ଏବଂ ଜଣଙ୍କର ଭୋଟ୍ ନାକଚ ହୋଇଥିଲା। ସିପିଏମ୍ ଏବଂ ଜନତା ଦଳ(ଏସ୍) ଦଳ ଭୋଟ୍ଦାନରୁ ନିବୃତ୍ତ ରହିଥିଲେ। ସେହି ସମୟରେ ବିଜେଡି ମନ୍ତ୍ରୀ ଥିବା ଭାଗବତ ବେହେରା ଅସୁସ୍ଥତା ଯୋଗୁ ଭୋଟ୍ ଦେବାକୁ ଆସି ନ ଥିଲେ। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରସ୍ତାବକ ହୋଇଥିବା କାରଣରୁ କଂଗ୍ରେସର ୩ ବିଧାୟକ ତାରା ପ୍ରସାଦ ବାହିନୀପତି, କାର୍ତ୍ତିକ ମହାପାତ୍ର ଏବଂ ମମତା ମାଢ଼ୀଙ୍କୁ ଦଳ ନିଲମ୍ବିତ କରିଥିଲା। ଯେଉଁମାନେ ସେହି ନିର୍ବାଚନରେ ଭୋଟ୍ ଦେବାକୁ ଆସି ନ ଥିଲେ ସେମାନଙ୍କ ନାଁ ଇତିହାସରେ ଲିପିବଦ୍ଧ ହୋଇ ରହିଲା। ଏହିପରି ମୋଟ୍ ୧୪୩ ଜଣ ଭୋଟ୍ ଦେଇଥିବା ବେଳେ ଦିଲ୍ଲୀପ ରାୟ ସ୍ବାଧୀନ ଭାବେ ୨୨ଟି ପ୍ରଥମ ପସନ୍ଦ ଭୋଟ୍ ସହିତ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ଯାହା କୁହାଯାଇଥିଲା, ଘୋଡ଼ା ବେପାରରେ ସର୍ବାଧିକ ବିଜେଡି ବିଧାୟକ ବିକ୍ରି ହୋଇଥିଲେ। ଏହାସହିତ ଭାଜପା ଏବଂ କଂଗ୍ରେସର କେତେଜଣ ବିଧାୟକ ମୋଟା ଅଙ୍କ ନେଇ ବିକ୍ରି ହୋଇଥିବା ଚର୍ଚ୍ଚା ହୋଇଥିଲା। ୨୦୦୨ରେ ରାଜ୍ୟରେ ବିଜେଡି ଏବଂ ଭାଜପାର ମେଣ୍ଟ ସରକାର ରହିଥିଲା। ସେହି ସମୟରେ ଯଦି ବିଜେଡି ସରକାରରେ ଥାଇ ତାଙ୍କ ଦଳରୁ ସର୍ବାଧିକ କ୍ରସ୍ ଭୋଟିଂ ହେଇଥିଲା, ତେବେ ବର୍ତ୍ତମାନ ସ୍ଥିତି କ’ଣ ହେବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷରେ ଦିଲ୍ଲୀପ କାହିଁକି ୨୦୦୨ର ଉଦାହରଣ ଦେଇ ବିଜୟୀ ହେବାର ଦମ୍ଭୋକ୍ତି ଦେଖାଉଛନ୍ତି, ଏଥିରୁ ବୁଝିହେବ।
ଛାଡ଼ପତ୍ର ଦେଲା କିଏ: ରାଜଧାନୀରେ ଆଲୋଚନା ହେଉଛି, କାହାର ପୂରିଲା ବେଳକାଳ
ଏଭଳି ମନ୍ତବ୍ୟ ପରେ ଏଥର ପ୍ରବଳ ମାତ୍ରାରେ ବିଧାୟକ କିଣା ହେବା ଏକ ପ୍ରକାର ସୁନିଶ୍ଚିତ ଜଣାପଡୁଛି। ବିଜେଡି ଏବଂ କଂଗ୍ରେସର କେତେଜଣ ବିଧାୟକ ଯଦି ଏପଟସେପଟ ହେବେ ନାହିଁ, ତେବେ ଏହି ନିର୍ବାଚନରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ବିଜୟୀ ହେବା ଆଶା କ୍ଷୀଣ। ହେଲେ ରାଜନୈତିକ ମହଲରେ ପ୍ରାୟ ସମସ୍ତଙ୍କୁ ଜଣାଅଛି, ବିଜେଡି ଏବଂ କଂଗ୍ରେସରେ କେତେଜଣ ନେତା ସେମାନଙ୍କ ଭବିଷ୍ୟତ ଦେଖିପାରୁନାହାନ୍ତି। ବିଶେଷ କରି ବିଜେଡିର ଅଧିକ ସଂଖ୍ୟକ ନେତା ସେମାନଙ୍କ ଦଳର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ଏଥିଯୋଗୁ ସେଭଳି ଚିନ୍ତାରେ ରହିଥିବା ବହୁ ନେତା ୭ରୁ ୧୦ କୋଟି ଟଙ୍କା ପାଇଲେ ରାଜ୍ୟ ସଭା ଗଣିତ ବିଗାଡି ଦେବାକୁ ରାଜି ହୋଇଯାଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ଗୁରୁବାର ନାମାଙ୍କନ ସମୟରେ ଏକ ଦୃଶ୍ୟ ନଜରକୁ ଆସିଛି। ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍) ପ୍ରାର୍ଥୀ ନାମାଙ୍କନ କରୁଥିବା ବେଳେ କେତେଜଣ ଓଡ଼ିଆ ଏବଂ ଅଣଓଡ଼ିଆ ମୋଟାସୋଟା ଲୋକମାନେ ନାମାଙ୍କନ ସ୍ଥଳରେ ଆସି ଦଳବଳ ହୋଇ ପହଞ୍ଚିଥିଲେ। ସେଠାରେ ସେମାନେ ପହଞ୍ଚିବା ମାତ୍ରେ କେତେଜଣ ବିଜେଡି ବିଧାୟକଙ୍କୁ ଆଲିଙ୍ଗନ କରି କିପରି ଅଛ ବୋଲି ପଚାରିଥିଲେ। ହଠାତ୍ ସେମାନଙ୍କୁ ଦେଖୁଥିବା ବ୍ୟକ୍ତିମାନେ କେଉଁ ଦଳର ବୋଲି ବୁଝିପାରି ନ ଥିଲେ। ଏହାପରେ ବିଜେଡି ଓ କଂଗ୍ରେସ ପକ୍ଷରୁ ନାମାଙ୍କନ ପ୍ରକ୍ରିୟା ସରିଯାଇଥିଲା। ହେଲେ ସେହି ଲୋକମାନେ ଭାଜପା ଓ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ସରିବା ପର୍ଯ୍ୟନ୍ତ ବସି ରହିଥିଲେ। ପରବର୍ତ୍ତୀ ସମୟରେ ଜଣିବାକୁ ମିଳିଥିଲା, ସେ ସମସ୍ତେ ହେଉଛନ୍ତି ଦିଲ୍ଲୀପଙ୍କ ସହଯୋଗୀ। ଏଥିରୁ ଗୋଟିଏ କଥା ଅନୁମାନ କରାଯାଇପାରେ, ଦିଲ୍ଲୀପଙ୍କ ସହଯୋଗୀମାନେ ଯଦି ବିଜେଡି ଏବଂ କଂଗ୍ରେସର କେତେକ ବିଧାୟକଙ୍କୁ ଆଲିଙ୍ଗନ କରିପାରୁଛନ୍ତି, ତେବେ ଆଗକୁ ୪ର୍ଥ ଆସନରେ ଘୋଡ଼ା ବେପାର ଲାଗି କେତେ ବାଟ ପ୍ରସ୍ତୁତ ଅଛି ସେକଥା ଜଣାପଡୁଛି।
Dharitri – Odisha’s No.1 Odia Daily

