ଭଙ୍ଗା ଘରେ ଚାଲିଛି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ଚମ୍ପୁଆ,୧୯ା୧୧(ଡି.ଏନ.ଏ): ସରକାରୀ ସ୍ତରରେ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସରକାର ୫-ଟି ଯୋଜନାରେ ବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଚମ୍ପୁଆ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭଙ୍ଗା ଘରେ ଚାଲିଛି। ସିଲିଂ ଭାଙ୍ଗି ଝୁଲି ରହିଥିବା ବେଳେ ବର୍ଷା ଦିନେ ପାଣି ଗଳୁଛି। ବିପଦ ସଙ୍କୁଳ ଅବସ୍ଥାରେ ଅଧିକାରୀ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି।
ସୂଚନା ମୁତାବକ, ୧୯୭୭ ମସିହାରେ ଏହି କାର୍ଯ୍ୟକାଳୟ ଆରମ୍ବ ହୋଇଥିଲେ ହେଁ ଭଡ଼ାଘରେ ଚାଲିଆସୁଥିଲା। ୨୦୧୪ ମସିହାରେ ତତ୍‌କାଳିନ ଉପଜିଲାପାଳ ଚୁଡ଼ାମଣୀ ସେଠ କାର୍ଯ୍ୟାଳକୁ ପୁରୁଣା ବାଳିକା ଉ.ପ୍ରା ବିଦ୍ୟାଳୟକୁ ସ୍ଥାନାନ୍ତର କରିଥିଲେ। ପୂର୍ବରୁ ଏହା ଡି.ଆଇ କାର୍ଯ୍ୟାଳୟ ରହିଥିବା ବେଳେ ବର୍ତ୍ତମାନ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭାବେ ପରିଚିତ। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାରୀଙ୍କ ପ୍ରକୋଷ୍ଠର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅଧିକାରୀଙ୍କ ମୁଣ୍ଡ ଉପରେ ସିଲିଂ ଭାଙ୍ଗି ଝୁଲି ରହିଛି। ବର୍ଷାଦିନରେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼େ। ପ୍ରକୋଷ୍ଠ ଗୁଡ଼ିକରେ ପାଣି ଗଳୁଥିବା ବେଳେ କାର୍ଯ୍ୟାଳୟ ପରିସର କୃତ୍ରିମ ଜଳାଶୟରେ ପରିଣତ ହୋଇଯାଏ। ଏ ନେଇ ବ୍ଲକ୍‌ ଶିକ୍ଷାଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। ମାତ୍ର କାମ ହେଉନାହିଁ। ଫଳରେ ବିପଦସଙ୍କୁଳ ଅବସ୍ଥାରେ ଅଫିସ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି।