Categories: ଖେଳ

ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍‌

ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟର ତୃତୀୟ ଦିନରେ ତଥା ଶୁକ୍ରବାର ଏହି ସଫଳତା ପାଇଛନ୍ତି।

ପ୍ରଥମ ଇନିଂସରେ ଖାତା ଖୋଲି ପାରି ନ ଥିବା ଇଂଲଣ୍ଡ ଅଧିନାୟକ ଦ୍ୱିତୀୟ ପାଳିରେ ୮୬ ରନ୍‌ର ଅପରାଜିତ ଇନିଂସ ଖେଳି ଇଂଲଣ୍ଡର ଅନ୍ୟତମ ସଫଳ ଅଧିନାୟକ ଭନଙ୍କୁ ପଛରେ ପକାଇ ଦେଇଛନ୍ତି।

୨୦୦୨ରେ ଟେଷ୍ଟ ଫର୍ମାଟରେ ଭନ ୧୪୮୧ ରନ୍‌ କରିଥିଲେ। ପୂର୍ବରୁ ୨୦୧୮ରେ
୧୪୭୭ ରନ୍‌ କରି ଏହି ରେକର୍ଡ ନିକଟରେ ପହଞ୍ଚିଥିଲେ ରୁଟ। ମାତ୍ର ତାଙ୍କୁ ସଫଳତା ମିଳି ନ ଥିଲା। ଉଲ୍ଲେଖଯୋଗ୍ୟ, ପ୍ରଥମ ଇନିଂସରେ ମାତ୍ର ୧୪୭ ରନରେ ଅଲଆଉଟ୍‌ ହୋଇଥିବା ଇଂଲଣ୍ଡକୁ ଜୋ ରୁଟ୍‌ ଓ ଦାଓ୍ବିଦ ମଲାନ (୮୦*)ଙ୍କ ଯୋଡ଼ି ମ୍ୟାଚ୍‌କୁ ଫେରାଇ ଆଣିଛି। ୨୭୮ ରନ୍‌ରେ ପଛୁଆ ଥିବା ଇଂଲଣ୍ଡ ୩ୟ ଦିନ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୨୨୦ ରନ୍‌ କରିଛି। ଦଳକୁ ଇନିଂସ ପରାଜୟ ପାଇଁ ଆହୁରି ୫୮ ରନ୍‌ ଦରକାର ଥିବା ବେଳେ ହାତରେ ଅଛି ୮ ଉଇକେଟ।

Share