ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଜନତା ଲେନରେ ବୁଧବାର ପୂର୍ବାହ୍ନରେ ଅରୁଣ ସେଠୀଙ୍କ ଛୁରା ମାଡ଼ରେ ଦିଗପହଣ୍ଡି କମାର ସାହିର କାହ୍ନା ସେଠୀ ନାମକ ଯୁବକ ଗୁରୁତର ଆହାତ ହୋଇଥିଲେ। କାହ୍ନାଙ୍କ ମାଆ ଶକୁନ୍ତଳା ସେଠୀଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ ପାତ୍ର ମାମଲା ନଂ.୨୬୧/୨୫ ଅନୁଯାୟୀ ଥାନାରେ ଅଟକ ଥିବା ଅଭିଯୁକ୍ତ ଅରୁଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ରାସ୍ତାକଡ଼ରେ ଥିବା ଏକ ଠେଲା ରିକ୍ସାର ଟାୟାରକୁ ଅରୁଣ ଏକ ଷ୍ଟିଲ ଛୁରିରେ କାଟୁଥିବା ବେଳେ ତାଙ୍କ ସମ୍ପର୍କୀୟ କାହ୍ନା ତାଙ୍କୁ ଆକଟ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅରୁଣ କାହ୍ନାଙ୍କ ଗାଲକୁ ଛୁରା ମାଡ଼ କରିଥିଲେ। ସ୍ଥାନୀୟ ଲୋକେ କାହ୍ନାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ହତ୍ୟା ଉଦ୍ୟମରେ ବ୍ୟବହୃତ ଛୁରୀକୁ ଜବତ କରିଛି।


