ଭୁବନେଶ୍ୱର,୯।୧: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ସହାୟତା ସହିତ ସରକାର ଉପହାର ମଧ୍ୟ ଦେବେ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯୋଗ୍ୟ କନ୍ୟାଙ୍କୁ ଉପହାର ପ୍ରଦାନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଉତ୍କଳିକା ଏହି ଯୋଜନାରେ କନ୍ୟାଙ୍କୁ ହସ୍ତତନ୍ତ ଶାଢ଼ି, ଚୁଡ଼ି, ରୁପାର ପାଉଁଜି ଓ ଝୁଣ୍ଟିଆ ଭଳି ଶୃଙ୍ଗାର ସାମଗ୍ରୀ ସହ ବାସନକୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଯୋଗାଇବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସହଯୋଗ ଦ୍ୱାରା ମହିଳା କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ସହ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ ବିବାହ ପଞ୍ଜୀକରଣର ୭ ଦିନ ପରେ ୩୫ ହଜାର ଟଙ୍କା ଆକାଉଣ୍ଟକୁ ଦିଆଯିବ। ଏହା ବ୍ୟତୀତ ଉପହାର ପାଇଁ ୧୦ ହଜାର ଟଙ୍କା ଏବଂ ସାଜସଜ୍ଜା ପାଇଁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି।
ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୁଝାମଣାପତ୍ର ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଓ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ମମତା ନାୟକଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିଲା।


