ଭୁବନେଶ୍ୱର,୮ା୧(ଅନୁରାଧା ମହାରଣା): ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ମାତ୍ର ଏହାପରେ କ୍ରମାଗତଃ ଭାବେ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ପୂର୍ୱାନୁମାନକୁ ଆଧାର କରି ସେ କହିଛନ୍ତି, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ଗୁରୁବାର ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ମାତ୍ର ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୋଲ୍ଡ ଓ୍ୱେଭ୍ ଓ କୁହୁଡ଼ିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ରାଜ୍ୟର ସର୍ୱନିମ୍ନ ରାତି ତାପମାତ୍ରା ଫୁଲବାଣୀରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ଛତ୍ରପୁର ଓ ପାରଳାଖେମୁଣ୍ଡିରେ ସର୍ୱାଧିକ ରାତି ତାପମାତ୍ରା ୧୫ ଡିଗ୍ରୀ ରହିଥିଲା। ଅନ୍ୟପଟେ ଦାରିଙ୍ଗବାଡିରେ ସର୍ୱନିମ୍ନ ଦିନ ତାପାମାତ୍ରା ୨୩.୫ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଝାରସୁଗୁଡ଼ାରେ ସର୍ୱାଧିକ ୨୯.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗୁରୁବାର ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିଭଳି ଜଗତ୍ସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ଢ଼େଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, ସୋନପୁର ଓ ନବରଙ୍ଗପୁରକୁ କୋହଲା ପବନ ପାଇଁ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି।


