ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍ ପ୍ରକାଶ ପାଇଛି। ଏଥିରେ ଜନସାଧାରଣଙ୍କୁ ହାତପାଅନ୍ତାରେ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସେବା ଯୋଗାଇବା, ଅନ୍ଲାଇନରେ ମାମଲା ପଞ୍ଜୀକରଣ ଓ ସେଗୁଡିକ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନେଇ ରାଜ୍ୟସ୍ତରୀୟ ରିପୋର୍ଟ ପ୍ରକାଶ ପାଇଥାଏ। ସିସିଟିଏନ୍ଏସ୍ ପ୍ରଗତି ଡ୍ୟାସବୋର୍ଡରେ ଜିଲା, ଥାନା,ଏସ୍ଡିପିଓ ଓ ଥାନା ଅଧିକାରୀଙ୍କ ବର୍ଗରେ ପ୍ରକାଶିତ ରିପୋର୍ଟରେ ଗଞ୍ଜାମ ପୋଲିସ ଜିଲା ବେଶ ସଫଳତା ହାସଲ କରିଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଏବଂ ଏସ୍ଡିପିଓମାନେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟର ସମସ୍ତ ଥାନା ମଧ୍ୟରୁ ଗଞ୍ଜାମ ଥାନା ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ପରେ ପୋଲସରା ଥାନା ଦ୍ୱିତୀୟ, ପୁରୁଷୋତ୍ତମପୁର ଥାନା ତୃତୀୟ, କୋଦଳା ଥାନା ଚତୁର୍ଥ, ରମ୍ଭା ଥାନା ପଞ୍ଚମ ଏବଂ ଧରାକୋଟ ଥାନା ଦଶମ ସ୍ଥାନରେ ରହିଛି। ସେହିପରି ରାଜ୍ୟର ସମସ୍ତ ଏସ୍ଡିପିଓମାନଙ୍କ ମଧ୍ୟରୁ ପୁରୁଷୋତ୍ତମପୁର ଏସ୍ଡିପିଓ ସୁଜିତ୍ ନାୟକ ପ୍ରଥମ ସ୍ଥାନ ଲାଭ କରି ଜିଲାକୁ ଗୌରବ ଆଣିଛନ୍ତି।
ଏହି ସଫଳତା ପାଇଁ ଏସ୍ଡିପିଓ ନାୟକ ଏବଂ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ପୋଲସରା ଆଇଆଇସି କୌଶିକ ମାଝି, ପୁରୁଷୋତ୍ତମପୁର ଆଇଆଇସି ରାଜେଶ ନାୟକ, କୋଦଳା ଆଇଆଇସି ସୁବାସ ବେହେରା, ରମ୍ଭା ଆଇଆଇସି କୁମାର ମୁଦୁଲି, ଧରାକୋଟ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁଙ୍କୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।


