ମତ୍ସ୍ୟସମ୍ପଦ ସମୃଦ୍ଧ ଓଡ଼ିଶା

ପ୍ରକାଶ ତ୍ରିପାଠୀ

 

ଜୁଲାଇ ୧୦ରେ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା ମାଟିରେ ସମ୍ପନ୍ନ ହୋଇଥିଲା। ୧୯୫୭ ଜୁଲାଇ ୧୦ ଦିନ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ.ଏଚ୍‌. ଆଲିକୁନି ଏବଂ ଡ. ହୀରାଲାଲ ଚୌଧୁରୀଙ୍କ ପ୍ରଚେଷ୍ଟା ତଥା ତତ୍କାଳୀନ ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶକ ଡ. ଗଜେନ୍ଦ୍ର ନାଥ ମିତ୍ରଙ୍କ ସହଯୋଗରେ ଆମ ଦେଶକୁ ଏହି ଐତିହାସିକ ସଫଳତା ମିଳିଥିଲା। ଉକ୍ତ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ସଫଳତାକୁ ମନେରଖିବା ପାଇଁ ଏହି ଦିନଟିକୁ ସାରା ଭାରତରେ ଜାତୀୟ ମତ୍ସ୍ୟଚାଷୀ ଦିବସ ରୂପେ ପାଳନ କରାଯାଇଥାଏ। ଦେଶର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀ/ ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ମରଣ କରାଯିବା ସହ ଏହି କ୍ଷେତ୍ରକୁ ନୂତନ ଜ୍ଞାନକୌଶଳ ଯୁକ୍ତ କରିବା ଓ ପରିବେଶ ଅନୁକୂଳଯୁକ୍ତ ସମୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟଲକ୍ଷ୍ୟ। ଏକ ସହନଶୀଳ ମାଛବଂଶ ବୃଦ୍ଧି ସହ ସୁସ୍ଥ ପାରିବେଶିକ ଜଳସମ୍ପଦର ସୁରକ୍ଷା ଓ ଏଥିସହ ସମ୍ପୃକ୍ତ ପରିବାରଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ ଏହି ଦିବସ ପାଳନର ଯଥାର୍ଥତାକୁ ପ୍ରତିପାଦନ କରିଥାଏ।
୭.୦୪ ଲକ୍ଷ ହେକ୍ଟର ମଧୁର ଜଳ କ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର ଓ ସର୍ବୋପରି ୪୮୦ କିମି ଉପକୂଳ ଅଞ୍ଚଳକୁ ନେଇ ଓଡ଼ିଶା ମତ୍ସ୍ୟ ସମ୍ପଦ ସମୃଦ୍ଧ। ଏବେ ପ୍ରାୟ ଦଶଟି ପ୍ରଜାତିର ମାଛ ଚାଷ ହେଉଥିବା ବେଳେ ତିନି ଦଶନ୍ଧି ପୂର୍ବରୁ ମାଛଚାଷ କହିଲେ କେବଳ ରୋହି, ଭାକୁର ଓ ମିରିକାଳୀ ମାଛଚାଷକୁ ବୁଝାଯାଉଥିଲା। ଏହି ତିନି ଜାତିର ମାଛକୁ ସାଧାରଣତଃ କାର୍ପ ମାଛ କୁହାଯାଇଥାଏ। କୃତ୍ରିମ ପ୍ରଜନନ ମାଧ୍ୟମରେ ମାଛ ଯାଆଁଳ ଉତ୍ପାଦନ ହେବା ପୂର୍ବରୁ ନଦୀ ସ୍ରୋତରୁ ମାଛ ଯାଆଁଳ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ମାଛଚାଷ ନିମନ୍ତେ ଯୋଗାଇ ଦିଆଯାଉଥିଲା। ସାଧାରଣତଃ କାର୍ପ ଜାତୀୟ ମାଛମାନେ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି ନାହିଁ। ପ୍ରବହମାନ ନଦୀର ଧାରରେ ସେମାନେ ବର୍ଷାଋତୁ ଆଗମନରେ ପ୍ରଜନନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ବାହ୍ୟ ଗର୍ଭାଧାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଅଣ୍ଡାଗୁଡ଼ିକ ନଦୀଜଳର ସ୍ରୋତରେ ଭାସିବୁଲନ୍ତି ଓ କ୍ରମେ ଏଥିରୁ ମାଛ ଯାଆଁଳଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଏହି କ୍ଷୁଦ୍ର ମାଛ ଯାଆଁଳକୁ ସଂଗ୍ରହ କରାଯାଇ ମତ୍ସ୍ୟଚାଷୀଙ୍କୁ ବିତରଣ କରାଯାଉଥିଲା। ନଦୀଜଳରୁ ସଂଗୃହୀତ ଏହି ମାଛ ଯାଆଁଳକୁ ନେଇ ଚାଷ କରୁଥିବା ମାଛଚାଷୀମାନେ ବିଶେଷ ଲାଭବାନ ହେଉ ନ ଥିଲେ। କାରଣ ଏଥିରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ରହୁଥିଲା ଓ ସବୁ ଯାଆଁଳ ଉନ୍ନତ ବା ରୋଗମୁକ୍ତ ନ ଥିଲେ। ମାଛଚାଷୀମାନଙ୍କୁ କିପରି ଉନ୍ନତ, ସ୍ବାସ୍ଥ୍ୟକର ଓ ନୀରୋଗ ଯାଆଁଳ ଯୋଗାଇ ଦିଆଯାଇପାରିବ ସେଥିପାଇଁ ମତ୍ସ୍ୟବିଜ୍ଞାନୀ ମାନେ ଗବେଷଣା ଆରମ୍ଭ କରିଥିଲେ। ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ(ହ୍ୟାଚେରି) ପ୍ରଭାବିତ ପ୍ରଜନନ ପ୍ରକ୍ରିୟାରେ ଅଧିକ ଅମଳକ୍ଷମ ଓ ଲୋକପ୍ରିୟ ମାଛ ରୋହି, ଭାକୁର ଓ ମିରିକାଳୀ ମାଛ ଯାଆଁଳ ଉତ୍ପାଦନ ପାଇଁ ଗବେଷଣାକୁ ତ୍ୱରାନ୍ବିତ କରାଯାଇଥିଲା। କୃତ୍ରିମ ପ୍ରଜନନ ହେଉଛି ମାଛଙ୍କ ଦେହରେ ଏକ ନିର୍ଦ୍ଦିଷ୍ଟ ହରମୋନ ପ୍ରୟୋଗ କରାଯାଇ, କୃତ୍ରିମ ଉପାୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଜନନ ଅନୁକୂଳ ପରିବେଶ ସୃଷ୍ଟିକରି ଅଣ୍ଡାଦାନ ପ୍ରକ୍ରିୟାକୁ ସମ୍ପନ୍ନ କରିବା। ମାଛଙ୍କଠାରେ ପିଟୁଇଟାରୀ ଗ୍ରନ୍ଥିରୁ ସଂଗୃହୀତ ରସ ମାଧ୍ୟମରେ କୃତ୍ରିମ ପ୍ରଜନନ ପରୀକ୍ଷା ଆରମ୍ଭ ହୁଏ ଅର୍ଜେଣ୍ଟିନାରେ ୧୯୩୦ରେ ଜୀବବିଜ୍ଞାନୀ ବି.ଏ. ହୁସେଙ୍କ ଦ୍ୱାରା। ପରେ ୧୯୩୪ରେ ଏହା ଉପରେ ସଫଳତା ମିଳେ ବ୍ରାଜିଲକୁ। ଭାରତରେ କୃତ୍ରିମ ପ୍ରଜନନ କାର୍ଯ୍ୟ ଆରମ୍ଭହୁଏ ୧୯୩୭ରେ। ବୈଜ୍ଞାନିକ ହାମିଦ ଖାନ୍‌ ମିରିକାଳୀ ମାଛ ଉପରେ ଏହାକୁ ପ୍ରୟୋଗ କରିଥିଲେ। ୧୯୫୫ରେ ଡ. ହୀରାଲାଲ ଚୌଧୁରୀ ଦଣ୍ଡକିରି ମାଛରେ ଏହା ପ୍ରୟୋଗ କରିଥିଲେ। ଇତିମଧ୍ୟରେ ଅନେକ ଦଶକ ବିତିଯାଇଛି ଓ ମାଛର କୃତ୍ରିମ ପ୍ରଜନନରେ ଅନେକ ଉନ୍ନତୀକରଣ ଓ ପାରଦର୍ଶିତା ହାସଲ କରାଯାଇପାରିଛି। ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଉନ୍ନତ ମାଛ ଯାଆଁଳର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି। କେବଳ ବର୍ଷାଋତୁ ନୁହେଁ, ତା ପୂର୍ବରୁ ଓ ବର୍ଷ ସାରା ସରକାରୀ ତଥା ଘରୋଇ ଫାର୍ମରୁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗପୂର୍ବକ ମାଛ ଯାଆଁଳ ଉତ୍ପାଦନ କରାଯାଇ ମାଛଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ବିଗତ ଚାରି ବର୍ଷ ମଧ୍ୟରେ ମାଛ ଯାଆଁଳ ଉତ୍ପାଦନ ୯୪.୭୨ କୋଟିରୁ ୨୭୮.୬୩ କୋଟିରେ ପହଞ୍ଚିଛି। ଆମ ରାଜ୍ୟରେ ମାଛ ଉତ୍ପାଦନ ପ୍ରାୟ ୪୦% ବୃଦ୍ଧି ପାଇ ୨୦୧୮-୧୯ରେ ୭.୫୯ ଲକ୍ଷ ମେଟ୍ରିକ ଟନ୍‌ରୁ ୨୦୨୨-୨୩ରେ ୧୦.୫୨ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ୨୦୦୧ରେ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇପାରିଛି।
ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକ ମତ୍ସ୍ୟକ୍ଷେତ୍ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରୋତ୍ସାହନ ତଥା ମତ୍ସ୍ୟଚାଷୀଙ୍କ ସଫଳ ଉଦ୍ୟମ ଓ ନିଷ୍ଠାପର ମନୋଭାବ ଯୋଗୁ ଆମ ରାଜ୍ୟ ମାଛ ଉତ୍ପାଦନରେ କ୍ରମାଗତ ପ୍ରଗତି ହାସଲ କରିଚାଲିଛି। ଖାଦ୍ୟ ନିରାପତ୍ତା, ଜୀବିକା ସୁରକ୍ଷା, ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀଙ୍କ କଲ୍ୟାଣ ଓ ନିଯୁକ୍ତି ସୃଷ୍ଟି ପାଇଁ ଜଳକୃଷିର ବିକାଶ ଓ ମତ୍ସ୍ୟ ସମ୍ପ୍ରସାରଣ କ୍ଷେତ୍ରରେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶାରେ ମୁଣ୍ଡପିଛା ବାର୍ଷିକ ମାଛ ବ୍ୟବହାର ଜାତୀୟ ହାରଠାରୁ ଢେର ଅଧିକ। ଜାତୀୟ ସ୍ତରରେ ଏହା ବାର୍ଷିକ ୬.୩୧ କିଲୋଗ୍ରାମ ଥିଲାବେଳେ ଆମ ରାଜ୍ୟରେ ୧୭.୭୩ କିଲୋଗ୍ରାମ ଅଛି। ବୈଦେଶିକ ମୁଦ୍ରା ଅର୍ଜନରେ ମଧ୍ୟ ଓ ମତ୍ସ୍ୟ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି। ବିଦେଶକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୪ ବର୍ଷ ମଧ୍ୟରେ ୫୩ % ବୃଦ୍ଧି ପାଇ ୨୦୧୮-୧୯ରେ ୨୯୬୯ କୋଟି ଟଙ୍କାରୁ ୨୦୨୨-୨୩ରେ ୪୮୦୭ କୋଟି ଟଙ୍କାରେ ପହଞ୍ଚିଛି।
ନୂତନ ପୋଖରୀ ଖନନ କରି ଉଭୟ ମଧୁରଜଳ ମାଛ ଓ ଖାରିଜଳ ମାଛ/ ଚିଙ୍ଗୁଡ଼ି ଚାଷ ନିମନ୍ତେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦୀ ସୂତ୍ରରେ ଲିଜ ପ୍ରଦାନ ପୂର୍ବକ ମାଛ ଚାଷ ପାଇଁ ସୁଯୋଗ ଦିଆଯାଉଛି। ଏହାଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଗ୍ରାମାଞ୍ଚଳରେ ଅପପୁଷ୍ଟି ଦୂର ଓ ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରାଯାଇପାରୁଛି। ଉନ୍ନତ ଜ୍ଞାନକୌଶଳ ଯୁକ୍ତ ଜଳଭଣ୍ଡାରରେ ପଞ୍ଜୁରି ମଧ୍ୟରେ ମାଛଚାଷ, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ, ପଲିଥିନ ଆସ୍ତରଣ ଯୁକ୍ତ ପୋଖରୀରେ ଚିଙ୍ଗୁଡ଼ିଚାଷ, ପୁନଃ ସଞ୍ଚାଳନ ପଦ୍ଧତିରେ ମାଛ ଚାଷ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଏଥିରେ ସାବଲମ୍ବୀ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି କରିଛି। ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ସେମାନଙ୍କ ପରିବାରଙ୍କୁ ବୀମାଭୁକ୍ତ କରିବା, ସେମାନଙ୍କ ପୁଅ ଝିଅଙ୍କ ଉଚ୍ଚତର ଶିକ୍ଷା ପାଇଁ ମେଧା ବୃତ୍ତି ପ୍ରଦାନ, ମାଛଧରା କଟକଣା ସମୟରେ ଜୀବିକା ସହାୟତା ପ୍ରଦାନ, ମତ୍ସ୍ୟ ପରିବହନ ପାଇଁ ଭିତ୍ତିଭୂମି ଯୋଗାଣ, ବରଫକଳ ପ୍ରତିଷ୍ଠା, ମାଛ/ ଚିଙ୍ଗୁଡ଼ି ହାଚେରୀ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ, ମତ୍ସ୍ୟଜୀବୀ ସୋସାଇଟିର ଦୃଢ଼ୀକରଣ, ମତ୍ସ୍ୟ ଅବତରଣ କେଦ୍ର/ ମତ୍ସ୍ୟ ବନ୍ଦରଗୁଡ଼ିକର ଆଧୁନିକୀକରଣ, ଆଧୁନିକ ମତ୍ସ୍ୟ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା, ନଦୀ ଓ ଜଳଭଣ୍ଡାରଗୁଡ଼ିକରେ ମାଛ ବଂଶ ବୃଦ୍ଧି ତଥା ଏହା ଉପରେ ନିର୍ଭର କରିଚାଲୁଥିବା ମତ୍ସ୍ୟଜୀବୀଙ୍କ ରୋଜଗାର ବୃଦ୍ଧି ପାଇଁ ଅଙ୍ଗୁଳିକା ମାଛ ଯାଆଁଳ ଛାଡ଼ିବା ଆଦି ସରକାରଙ୍କର ବିଭିନ୍ନ ପଦକ୍ଷେପ ରାଜ୍ୟର ମତ୍ସ୍ୟସମ୍ପଦ କ୍ଷେତ୍ରକୁ ସୁଦୃଢ଼ କରିଛି। ରାଜ୍ୟର ଅଗଣିତ ମତ୍ସ୍ୟ ଚାଷୀ/ ମତ୍ସ୍ୟଜୀବୀ/ ମତ୍ସ୍ୟ ଉଦ୍ୟୋଗୀମାନଙ୍କ ପ୍ରଗାଢ଼ ନିଷ୍ଠା ଓ ଦାୟିତ୍ୱସମ୍ପନ୍ନ ଆଭିମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ଯୋଗୁ ରାଜ୍ୟକୁ ମତ୍ସ୍ୟସମ୍ପଦ ଅଭିବୃଦ୍ଧିରେ ମିଳିଛି ସାମଗ୍ରିକ ସଫଳତା। ଗତ ୨୦୨୦ ବର୍ଷ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ କଳାହାଣ୍ଡି ଜିଲାକୁ ଶ୍ରେଷ୍ଠ ଆଭ୍ୟନ୍ତରୀଣ ଜିଲା ଓ ୨୦୨୧ରେ ବାଲେଶ୍ବରକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ ଜାତୀୟ ସ୍ତରରେ ପୁରସ୍କାର ମିଳିବା ଆମ ପାଇଁ ଗୌରବର ବିଷୟ।

ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri