Categories: ବାଣିଜ୍ୟ

ବୟନ ପାର୍କ ସ୍ଥାପନ ଲାଗି ଓଡ଼ିଶା ଆଗ୍ରହୀ

ନୂଆଦିଲ୍ଲୀ,୭ା୧୦: ଦେଶ ମଧ୍ୟରେ ୭ ମେଗା ଟେକ୍ସଟାଇଲ ରିଜିୟନ ଏବଂ ଆପାରେଲ ପାର୍କ (ପିଏମ୍‌ ମିତ୍ର) ସ୍ଥାପନ ହେବ। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଏଥିଲାଗି ୪,୪୪୫ କୋଟିର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ୧୦ ରାଜ୍ୟ ଏଭଳି ପାର୍କ ସ୍ଥାପନ ଲାଗି ଆଗ୍ରହ ଦେଖାଇଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସମେତ ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଆସାମ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ରହିଛି।
ବୟନ ମ୍ୟାପ୍‌ରେ ଭାରତକୁ ସ୍ଥାନିତ କରାଇବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି। ବଜେଟ ୨୦୨୧-୨୨ରେ ପିଏମ୍‌ ମିତ୍ର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଗ୍ରୀନ୍‌ଫିଲ୍ଡ ଏବଂ ବ୍ରାଉନଫିଲ୍ଡ ସାଇଟଗୁଡିକରେ ଏହି ପାର୍କ ସବୁ ସ୍ଥାପନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପାର୍କ ସ୍ଥାପନ ଲାଗି ୧ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏହାବାଦ ବୟନ ସହ ଜଡିତ ଅନ୍ୟ ଇକୋସିଷ୍ଟମ ବିକାଶ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ପଦ୍ଧତିରେ ପ୍ରକଳ୍ପଗୁଡିକ ଲାଗି ସ୍ଥାନ ଚୟନ କରାଯିବ। ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଭାବେ ୭ ଲକ୍ଷ ଏବଂ ପରୋକ୍ଷ ଭାବେ ୧୫ ଲକ୍ଷ ଲୋକ ନିଯୁକ୍ତି ଲାଭ କରିପାରିବେ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି। ଗ୍ରୀନ୍‌ ଫିଲ୍ଡ ପାର୍କଗୁଡିକ ଲାଗି ଉନ୍ନତୀକରଣ ପୁଞ୍ଜି ସହାୟତା ଭାବେ ସର୍ବାଧିକ ୫୦୦ କୋଟି ଏବଂ ପ୍ରତିଦ୍ୱନ୍ଦ୍ୱିତା ପ୍ରୋତ୍ସାହନ ସହଯୋଗ ଲାଗି ୩୦୦ କୋଟି ଟଙ୍କାର ସହାୟତା ସରକାର ଯୋଗାଇ ଦେବେ।

Share