Categories: ବାଣିଜ୍ୟ

ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ୪୭% ଅଭିବୃଦ୍ଧ

କଟକ,୪।୨ ଦେଶର ବିକାଶ ପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଷ୍ଟ୍ରର ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଟିକସ ଆଦାୟକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଟିକସ ଆଦାୟର ନୂତନ ନିୟମାବଳୀ ଅନୁସାରେ ଦେଶର ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ୨୦୨୨ ଜାନୁୟାରୀରେ ଓଡ଼ିଶାର ଆୟ ୪୭% ଅଭିବୃଦ୍ଧି ଘଟିଛି। ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ଓଜିଏସ୍‌ଟି ଆକାରରେ ଓଡ଼ିଶା ମୋଟ ୧୧୪୩.୧୪ କୋଟି ଟଙ୍କାର ଟିକସ ଆଦାୟ କରିପାରିଛି। ଗତ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାର ବଜାୟ ରଖିଛି। ସେହି ସମାନ ଧାରା ୨୦୨୨ ଜାନୁୟାରୀରେ ମଧ୍ୟ ଅବ୍ୟାହତ ରହିିଛି। ୨୦୨୧ ସମାନ ମାସରେ ମଧ୍ୟ ଓଡ଼ିଶାର ଜିଏସ୍‌ଟି ଆଦାୟ ୭୭୭.୭୧ କୋଟି ଟଙ୍କା ହୋଇଥିଲା। ୨୦୨୧ ଜାନୁୟାରୀର ଆଦାୟ ଅପେକ୍ଷା ଚଳିତ ମାସ ୨୦୨୨ରେ ୪୭% ଅଭିବୃଦ୍ଧି ସହ ଜିଏସ୍‌ଟି ଆଦାୟରେ ଓଜିଏସ୍‌ଟି ୩ୟ ସର୍ବାଧିକ ସଂଗ୍ରହ ହୋଇଛି। ୨୦୨୨ ଜାନୁୟାରୀରେ ମୋଟ ଏସ୍‌ଜିଏସ୍‌ଟି ସଂଗ୍ରହ ୧୦,୨୩୯.୩୯ କୋଟି ଟଙ୍କା ରହିଥିଲା। ଗତ ବର୍ଷ ଏହି ସମୟ ମଧ୍ୟରେ ଆଦାୟ ହୋଇଥିବା ପରିମାଣ ଠାରୁ ୫୬.୧୭% ଅଧିକ ରହିଛି। ୨୦୨୧ ଜାନୁୟାରୀରେ ୬,୫୫୬.୪୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ସେହିପରି ୨୦୨୦ ଜାନୁୟାରୀରେ ସଂଗ୍ରହ ହୋଇଥିବା ୭୧୩୧.୮୦ କୋଟି ଟଙ୍କା ରହିଥିଲା। ଓଡ଼ିଶାର ମୋଟ ଜିଏସ୍‌ଟି ସଂଗ୍ରହ ୨୦୨୨ ଜାନୁୟାରୀରେ ୩୯୯୫.୪୦ କୋଟି ଟଙ୍କାର ରେକର୍ଡ କରାଯାଇଛି, ଯାହାକି ଗତ ବର୍ଷର ସମାନ ଅବଧିରେ ହୋଇଥିବା ଟିକସ ଆଦାୟ ୩୧୩୭.୪୫ କୋଟି ଟଙ୍କା ତୁଳନାରେ ୨୭.୩୫% ଅଭିବୃଦ୍ଧି କରିଥିବା ଜଣାପଡିଛି। ସେହିଭଳି ଏକ ପ୍ରଗତିଶୀଳ ଟିକସ ଆଦାୟ ୨୦୨୨ଜାନୁୟାରୀରେ ମୋଟ ଜିଏସ୍‌ଟି ସଂଗ୍ରହ ୩୬୧୦୮.୫୨ କୋଟି ଟଙ୍କା ରହିଥିଲା। ୨୦୨୧ର ଏହି ସମୟ ମଧ୍ୟରେ ୨୩,୨୨୬.୯୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଉକ୍ତ ଅବଧିରେ ଏହାର ପରିମାଣ ୫୫.୪୬% ଅଭିବୃଦ୍ଧି କରିଛି। ୨୦୨୦ ଜାନୁୟାରୀରେ ଅନୁରୂପ ସଂଗ୍ରହ ୨୪୨୫୪.୨୧ କୋଟି ଟଙ୍କା ଥିଲା। ସେହିପରି ସିଜିଏସ୍‌ଟି ବାବଦକୁ ୯୬୫.୯୨ କୋଟି ଟଙ୍କା, ଆଇଜିଏସ୍‌ଟି ବାବଦକୁ ୧୧୩୪,୧୫ କୋଟି ଏବଂ ସେସ୍‌ ଆକାରରେ ୭୫୨.୧୯ କୋଟି ଟଙ୍କା ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ କରାଯାଇଛି। ଟିକସ ସଂଗ୍ରହର ମୋଟ ଭାଟ୍‌(ପେଟ୍ରୋଲ୍‌ ଏବଂ ଲିକର)ରୁ ମୋଟ ୮୫୩.୪୩ କୋଟି ଟଙ୍କା ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ କରାଯାଇଛି। ୨୦୨୧ ଜାନୁୟାରୀରେ ୮୩୫.୨୩ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୦୨୨ରେ ୨.୧୮% ଅଭିବୃଦ୍ଧି ଉପରୋକ୍ତ ଉତ୍ପାଦରୁ ଆଦାୟ ହୋଇଛି। ସେଥିମଧ୍ୟରୁ ପେଟ୍ରୋଲିୟମ ଉତ୍ପାଦରୁ ୬୫୭.୯୯ କୋଟି ଏବଂ ଲିକରରୁ ୧୯୫.୪୩ କୋଟି ଟଙ୍କା ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ ହୋଇପାରିଛି।

Share