ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି। ଏମିତିକି କିଛି ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି। ଏଥିପାଇଁ ସରକାର ସକାଳୁଆ ସ୍କୁଲ ପାଇଁ ଚିନ୍ତା କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗକୁ ଖରାର ପ୍ରକୋପ ଅସହ୍ୟ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯିବ। ତେବେ କେବେ ସ୍କୁଲରେ ସକାଳୁଆ ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

