Categories: ଖେଳ

ଓଡ଼ିଶା ଏଫ୍‌ସି ଆଜି ହୋପ୍ସକୁ ଭେଟିବ

ଭୁବନେଶ୍ୱର, ୧୦।୧ (ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବୁଧବାର ହୋପ୍ସ ଏଫ୍‌ସି ସହ ମୁକାବିଲା କରିବ। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଏହି ମ୍ୟାଚ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ଖେଳିଥିବା ୩ଟି ଯାକ ମ୍ୟାଚରେ କ୍ଲିନ୍‌ ଶିଟ୍ସ ପାଇଛି। ପୂର୍ବ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ଘରୋଇ ଦଳ ସେଥୁ ଏଫ୍‌ସିକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ହୋପ୍ସ ଏଫ୍‌ସି ନିଜର ପୂର୍ବ ମ୍ୟାଚରେ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ ଏଫ୍‌ସିକୁ ହରାଇ ଦେଇଥିଲା। ତେବେ ଏହି ଦଳ ନିଜର ପ୍ରଥମ ୨ଟି ମ୍ୟାଚରେ ଯଥାକ୍ରମେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସିଠାରୁ ୦-୩ ଓ ଗୋକୁଳମ୍‌ କେରଳ ନିକଟରୁ ୦-୧ ଗୋଲରେ ହାରିଥିଲା। ଓଡ଼ିଶା ଏଫ୍‌ସି ଏବଂ ହୋପ୍ସ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ଘରୋଇ ପରିବେଶରୁ ଫାଇଦା ଉଠାଇ ଓଡ଼ିଶା ଏଫ୍‌ସି ଅପରାଜେୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ”କ୍ରମାଗତ ୩ ମ୍ୟାଚରେ କ୍ଲିନ୍‌ ଶିଟ୍ସ ପାଇବା ଗୁରୁତ୍ୱପୂର୍ଣ୍ଣ। ମାତ୍ର ଦଳ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ଫୋକସ କରିବା ଆବଶ୍ୟକ। ଦଳର ଖେଳାଳିମାନେ ପର୍ଯ୍ୟାପ୍ତ ବିଶ୍ରାମ ପାଇଥିବାରୁ ଆସନ୍ତା ମ୍ୟାଚରେ ଭଲ ପ୍ରଦର୍ଶନ କରିବା ନେଇ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ କୋଚ୍‌ କ୍ରିସପିନ୍‌ ଛେତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଖେଳାଳି ଜୁଲି କିଷାନ ଉପସ୍ଥିତ ଥିଲେ।

Share