ଓଡ଼ିଶା ଡ୍ରାଇଭର ମହାସଂଘ-ମୋଟର ଚାଳକ ସଂଘ ମୁହାଁମୁହିଁ

ବରଗଡ଼ ଅଫିସ,୧୨ା୩: ଡ୍ରାଇଭରମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଓ ଡ୍ରାଇଭର ମହାସଂଘ ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖଚକ ବନ୍ଦ ଡାକରା ଦେଇଛି। ଡ୍ରାଇଭରଙ୍କ ଦାବି ସମୂହକୁ ସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ କରି ମହାସଂଘ ଏଭଳି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଓଡ଼ିଶା ଡ୍ରାଇଭର ମହାସଂଘର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ମୋଟର ଚାଳକ ସଂଘ ବିରୋଧ କରିଛି। ବର୍ତ୍ତମାନ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଚାଲିଥିବାବେଳେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ଚାଷୀମାନେ ସାର, କୀଟନାଶକ ପାଇଁ ଦୋକାନ, ବଜାର ଆସୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଡ୍ରାଇଭର ମହାସଂଘ ଏକତରଫା ନେଇଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓଡ଼ିଶା ମୋଟର ଚାଳକ ସଂଘ ଆଦୌ ସମର୍ଥନ କରିବ ନାହିଁ ଏବଂ ସ୍ବାଭାବିକ ଭାବେ ଗାଡ଼ି ଚଳାଚଳ କରିବ ବୋଲି ରବିବାର ବରଗଡ଼ ସାମ୍ବାଦିକ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥଳେ ଉଭୟ ଓଡ଼ିଶା ଡ୍ରାଇଭର ମହାସଂଘ ଏବଂ ଓ ମୋଟର ଚାଳକ ସଂଘ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଏହା କିଭଳି ପ୍ରଭାବ ପକାଇବ, ତାହା ଆସନ୍ତା ୧୫ ତାରିଖରେ ସ୍ପଷ୍ଟ ହୋଇଯିବ।