କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୧୯ କେଜି ଓଜନର ୧୪ଟି ହାତୀ ଦାନ୍ତ, ଗୋଟିଏ କାର(ଓଡି୨୨ଏନ୮୫୨୪), ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଘଟଗାଁ ବ୍ଲକ ସାନ୍ତରାପୁର, ଅନ୍ୟ ଜଣେ ଭଦ୍ରକ ଓ ଅନ୍ୟ ଜଣଙ୍କ ଘର ଯାଜପୁର ଜିଲାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୀର୍ଘଦୀନ ଧରି ଏହି ଗ୍ୟାଙ୍ଗ କେନ୍ଦୁଝର ଜିଲାରେ ସକ୍ରୀୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପ୍ରକାଶ ଯେ, ଏକ କାରରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଆନନ୍ଦପୁର ଡିଏଫ୍‌ଓ (ୱାଇଲ୍ଡ ଲାଇଫ) ଅଜିତ୍‌ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍କାର୍ଡ ଉକ୍ତ ଗାଡିର ପିଛା କରିଥିଲେ। ସେମାନେ ପିଟାପିଟି ନିକଟରୁ ଖସି ସିଙ୍ଗବିଲା ଜଙ୍ଗଲ ଦେଇ ପଳାଇ ଯାଇଥିଲେ । ସେମାନଙ୍କୁ ବନ ବିଭାଗ କର୍ମଚାରୀ ପୁଣି ପିଛା କରି ବାୟାପିଟା ଗ୍ରାମ ନିକଟରୁ ଧରିବାରେ ସଫଳ ହୋଇଥିଲେ।
ଏ ନେଇ ଡିଏଫ୍‌ଓ ଶତପଥୀ କହିଛନ୍ତି, ଅଭିଯୁକ୍ତଙ୍କ ସଠିକ୍‌ ପରିଚୟ ମିଳିନାହିଁ । ଯେଉଁ ନାମ ସେମାନେ କହୁଛନ୍ତି ବିଶ୍ୱାସେଯାଗ୍ୟ ହେଉନାହିଁ । ଏଣୁ ସେମାନଙ୍କ ଅସଲି ପରିଚୟ ମିଳିଯିବ । ସେମାନେ ଦାନ୍ତ ଆଣି କିଣାବିକା କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିବ । ଏହା ପଛରେ ବଡ ଧରଣର ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି ।