ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତୋଟାଡିହ ଗ୍ରାମର ଦଶରଥ ଗଡମାଝୀଙ୍କ ଝିଅ କୁନ୍ତଳା(୨୧)। ତାଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଜିଲା ଶ୍ରମ ଅଧିକାରୀଙ୍କଠାରେ ନିବେଦନ କରିଛନ୍ତି।
ସମ୍ପର୍କୀୟ ଭାଇ ଦୟା ଗଡ଼ମାଝୀଙ୍କ କହିବା ଅନୁଯାୟୀ, ଟେଲରିଂ କାମ ଶିଖିବା ପରେ ସେ ଆଗରୁ ସେଠାରେ କାମ କରୁଥିଲେ। କୋଭିଡ୍‌ ସମୟରେ ଘରକୁ ଚାଲିଆସିଥିଲେ। ତେବେ ଏଠାରେ କାମ ଧନ୍ଦା ନ ମିଳିବାରୁ ସେ ଅନ୍ୟ ଦୁଇ ଝିଅଙ୍କ ସହିତ ମେ’ ୭ତାରିଖରେ ବାଙ୍ଗାଲୋର ଯାଇଥିଲେ। ଗତ ମଙ୍ଗଳବାର ସେ ହଠାତ୍‌ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଖବର ଆସିଥିଲା। ପରିବାର ଲୋକେ ଚିକିତ୍ସା ଲାଗି ୧ହଜାର ଟଙ୍କା ପଠାଇଥିଲେ। କିଛି ସମୟ ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ତେବେ କୁନ୍ତଳାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତଦେହ ଫେରାଇ ଆଣିବାରେ ଅସମର୍ଥ ପ୍ରକାଶ କରି ସହାୟତା ପାଇଁ ଶ୍ରମବିଭାଗକୁ ଗୁହାରି କରିଛନ୍ତି। ଏନେଇ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଲି କହିଛନ୍ତି ଯେ, ସହାୟତା ପାଇଁ ପଦକ୍ଷେପ ନିଆଯାଉଛି।