Categories: ଫୁରସତ

କରୋନା ଭ୍ୟାକ୍ସିନର ଖାଲି ଶିଶିରେ ଝୁମର ତିଆରି କରି ଚର୍ଚ୍ଚାରେ ନର୍ସ

ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ । ଏଥିରୁ ନିସ୍ତାର ପାଇବା ପାଇଁ ଏବେ ଆସିଛି ଭ୍ୟାକ୍ସିନ । ବିଶ୍ୱର ସବୁଦେଶରେ ଏହା ଦ୍ରୁତ ଗତିରେ ଚାଲୁଥିବା ବେଳେ ଦିନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଟିକାକରଣ ଫଳରେ ସେହି ଅନୁସାରେ ଖାଲି ଶିଶି ବି ଜମା ହୋଇଯାଉଛି । ତେବେ କରୋନା ସମୟରେ ଅନ୍ୟମାନଙ୍କ ପାଇଁ ଭଗବାନ ସାଜିଥିବା ଡାକ୍ତର ନର୍ସ ଆଜିବି ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରି ଚାଲିଛନ୍ତି । ଏହି ସମୟରେ ମନକୁ ସାମାନ୍ୟ ହାଲ୍‌କା କରିବାକୁ ତଥା ନିଜ ସୃଜନଶୀଳତାର ପରିଚୟ ଦେଇଛନ୍ତି ଜଣେ କରୋନା ଯୋଦ୍ଧା । ଆମେରିକାର କଲରାଡୋରେ ରହୁଥିବା ନର୍ସ ଲାରା ୱେସିସ ନିଜ ପ୍ରତିଭାର ପରିଚୟ ଦେଇ ସମସ୍ତଙ୍କ ମନକୁ ଖୁସି କରାଇ ଦେଇଛନ୍ତି । ତେବେ ପ୍ରତିଦିନ ଟିକା ଦିଆଯିବା ପରେ ଲକ୍ଷ ଲକ୍ଷ ଖାଲି ଶିଶିକୁ ଦେଖି ଲାରା କିଛି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସେ ଶିଶି ଗୁଡିକୁ ଏକାଠି କରି ସେଥିରେ ଲାଇଟ ଲଗାଇ ବିଦ୍ୟୁତ ସଂଯୋଗ କରି ଦେଇଥିଲେ । ଆଉ ଏହାର ଆଲୋକ ତାଙ୍କୁ ଖୁସି ଦେଇଥିଲା । ଏହାପରେ ସେ କେତେଗୁଡିଏ ଖାଲି ଭ୍ୟାକ୍ସିନ ଶିଶିକୁ ଏକାଠି କରି ଏକ ଝୁମର ତିଆରି କରି ସେଥିରେ ବିଦ୍ୟୁତ ସଂଯୋଗ କରି ଦେଲେ । ଏହାପରେ ତାହା ଝଲସିବାକୁ ଲାଗିଲା । କରୋନା ମହାମାରୀ ଅନେକ ପରିବାର ମୁହଁରୁ ହସ ଛଡାଇ ନେଇଥିବା ବେଳେ ଏହା ସେହିମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ତଥା ଯେଉଁମାନେ କରୋନା ରୋଗୀଙ୍କୁ ବଞ୍ଚାଇବାକୁ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି ସେଇମାନଙ୍କୁ ଲାରା ଏହି ଝୁମର ସମର୍ପିତ କରୁଥିବା ଏକ ୱେବ ସାଇଟର ସାକ୍ଷାତ୍‌କାରରେ କହିଛନ୍ତି ।

Share