ରାଜସ୍ବ ଆଦାୟରେ ଏକ ନମ୍ବର, ଲୋକଙ୍କୁ ମିଳୁନି ସେବା

ଗୋପାଳପୁର,୧୧ା୯(ନବୀନ ରାଜ ଆଚାରୀ): ସରକାର ସମସ୍ତ ବିଭାଗକୁ ୫-ଟି ଅଧୀନକୁ ନେଇ ବିଭିନ୍ନ ବିଭାଗରେ ସଂସ୍କାରମୂଳକ ପଦେକ୍ଷେପ ଗ୍ରହଣ କରୁଛନ୍ତି। ରାଜସ୍ବ ବିଭାଗର ସେବାଗୁଡ଼ିକ କିଭଳି ହାତ ପାଆନ୍ତାରେ ନିର୍ଦ୍ଧାରିତ ସମୟରେ ଲୋକେ ସେବା ପାଇପାରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ହେଲେ କିଛି ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁଁ ସରକାରଙ୍କ ଯୋଜନା ଦିଗହରା ହେବା ସହ ଲୋକମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କନିଷି ତହସିଲରେ। ଏଠାରେ ଦିନକୁ ଦିନ କର୍ମଚାରୀ ଅଭାବ ହେବା ଫଳରେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିଲେ ମଧ୍ୟ ସେବା ନ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ କନିଷି ତହସିଲ କାର୍ଯ୍ୟଭାରରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଏହି ତହସିଲରେ ୧୩ଟି ରାଜସ୍ବ ସର୍କଲ ରହିଛି। ଏଥିରେ ଗତ ବର୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ଜମିଜମା ଦାଖଲ ଓ ଖାରଜ (ମ୍ୟୁଟେସନ) ମାମଲା ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨ ହାଜରରୁ ଊର୍ଦ୍ଧ୍ୱ ମ୍ୟୁଟେସନ ମାମଲା ଦାଖଲ ହୋଇଛି। ଏଠାରେ କର୍ମଚାରୀ ଦିନକୁ ଦିନ କମୁଥିବା ବେଳେ ନିର୍ଦ୍ଧାରିତ ସମୟରେ ସେବା ଯୋଗାଇବାରେ ବହୁ ପଛରେ ରହିଛି। ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦେକ୍ଷେପ ଗ୍ରହଣ କରାଯାଉନାହିଁ। ଉକ୍ତ ତହସିଲରେ ବର୍ତ୍ତମାନ ଜଣେ ତହସିଲଦାର କାର୍ଯ୍ୟ କରୁୁଛନ୍ତି। ତିନିଜଣ ଅତିରିକ୍ତ ତହସିଲଦାର ପଦବୀ ରହିଛି। ତେବେ ଦୀର୍ଘ ମାସ ହେଲା ଦୁଇଟି ଅତିରିକ୍ତ ତହସିଲଦାର ପଦ ଖାଲିପଡ଼ିଛି। ଗତ କିଛି ମାସ ହେଲା ରାଜସ୍ବ ବିଭାଗର ଅଦଳ ବଦଳରେ ଜନୈକ ଅଧିକାରୀ ଶମେଶ ରଣବିଜୁଳି ଅତିରିକ୍ତ ତହସିଲଦାର ଭାବେ ଯୋଗଦେଇଛନ୍ତି। ଏଥିସହ କନିଷି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଚିକିଟି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର କନିଷି ଅତରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ଜିଲାରେ ବଡ଼ ତହସିଲ ରୂପେ ପରିଚିତ କନିଷି ତହସିଲରେ ୫ଟି କନିଷ୍ଠ କିରାଣୀ ପଦବୀ ଖାଲିଥିବା ବେଳେ ଗୋଟିଏ ବରିଷ୍ଠ କିରାଣୀ ଓ ୭ଟି ପିଅନ ପଦବୀ ଖାଲି ପଡ଼ିଛି। କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଦିନକୁ ଦିନ କାର୍ଯ୍ୟଭାର ବୃଦ୍ଧି ପାଉଛି। ବର୍ତ୍ତମାନ ତିନି ହଜାରରୁ ଊର୍ଦ୍ଧ୍ୱ ଜମି ପଟ୍ଟା ପେଣ୍ଡିଂ ରହିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଗ୍ରାମକଣ୍ଠକ ପଟ୍ଟା ପେଣ୍ଡିଂ ରହିଛି। ଗତ ଆର୍ଥିକ ବର୍ଷରେ ଜମିଜମା ଖଜଣାରେ ୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଗାଡ଼ି ଓ ରୟାଲଟି ବାବଦରେ ୭ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ସମୁଦାୟ ୧୧ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଜିଲାରେ ରାଜସ୍ବ ଆଦାୟରେ କନିଷି ତହସିଲ ଏକ ନମ୍ବର ରହିଛି। ତେବେ କେଉଁ କାରଣରୁ କର୍ମଚାରୀ ପଦବୀ ପୂରଣ କରାଯାଉନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି। କର୍ମଚାରୀ ଅଭାବ ନେଇ ବାରମ୍ବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ନେଇ ସାଧାରଣ ଅଭିଯୋଗ ଉଠିଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଦାବି ହୋଇଛି।