ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧିନ: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଏହା ପଛରେ ଦିଲ୍ଲୀବାସୀଙ୍କ ଉଦ୍ୟମ ରହିଛି ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ମାସେ ପୂର୍ବରୁ ପଜିଟିଭ୍‌ ମାମଲା ଦେଖି ଆକଳନ କରାଯାଇଥିଲା ଯେ, ଜୁନ ଶେଷ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବ ଏବଂ ହସ୍ପିଟାଲରେ ବେଡ୍‌ ସଂଖ୍ୟା କମିଯିବ। କିନ୍ତୁ ରାଜ୍ୟରେ ଏବେ ୬୦ହଜାର ଆକ୍ଟିଭ୍‌ କେସ୍‌ ରହିଛି। ଏଥିସହ ୧୫ହଜାର ବେଡ୍‌ ଖାଲି ରହିଛି। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଛି। ପୂର୍ବରୁ ୧୦୦ଜଣଙ୍କ ପରୀକ୍ଷା କରାଯାଉଥିବା ବେଳେ ୩୧ଜଣଙ୍କ ରିପୋର୍ଟ ପଜିଟିଭ୍‌ ବାହାରୁଥିଲା। କିନ୍ତୁ ବୁଧବାର ୧୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬୭ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ତେବେ ଏହାକୁ ଦେଖି ଖୁସି ହେବାର ସମୟ ନୁହେଁ, ଆହୁରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଫଳରେ ଏହି କରୋନା ମହାମାରୀକୁ ହରାଇ ପାରିବା ବୋଲି ଦିଲ୍ଲୀବାସୀଙ୍କୁ କେଜରିଓ୍ବାଲ କହିଛନ୍ତି।

Share