ନ୍ୟୁଡ୍‌ ଫଟୋର ଫୋରେନ୍ସିକ ଯାଞ୍ଚ ହେବ

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ ବିବାଦ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପିଛା ଛାଡ଼ୁନି। ରଣବୀରଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ ଓ ଅନ୍ୟମାନେ ଏହାକୁ ବିରୋଧ କରିବା ଫଳରେ ତାଙ୍କ ନଁାରେ ମାମଲା ହୋଇଛି। ପୋଲିସ ରଣବୀରଙ୍କୁ ଏ ବାବଦରେ ପଚରାଉଚରା ମଧ୍ୟ କରିଛି। ଏବେ ଏହି ପ୍ରସଙ୍ଗରେ ରଣବୀର ଚକିତ କଲାପରି ବୟାନ ଦେଇଛନ୍ତି। ସେ ଶୁଟ୍‌ କରିଥିବା ଫଟୋ ମଧ୍ୟରୁ ଗୋଟିଏକୁ କେହି ବିକୃତ କରି ସୋସିଆଲ ମିଡିଆରେ ଛାଡ଼ିଥିବା ସେ ମୁମ୍ବାଇ ପୋଲିସକୁ କହିଛନ୍ତି। ସେଥିରେ ସେ ଅଣ୍ଡରଓ୍ବିୟର ପିନ୍ଧିଥିବାବେଳେ କେହି ତାହାକୁ ଏଡିଟ୍‌ କରି ଅନ୍ୟ କାହାର ପ୍ରାଇଭେଟ୍‌ ପାର୍ଟ ଦେଖାଇଥିବା ରଣବୀର ଦାବି କରିଛନ୍ତି। ପୋଲିସ ଗତ ଅଗଷ୍ଟ ୨୯ରେ ରଣବୀରଙ୍କୁ ପଚରାଉଚରା କରିବାବେଳେ ସେ ଏହି ବୟାନ ଦେଇଥିବା ଜଣପଡ଼ିଛି। ରଣବୀରଙ୍କ ବୟାନ ରେକର୍ଡ କରିବା ପରେ ଏବେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଛି। ଫଟୋଗୁଡ଼ିକର ବାସ୍ତବତା ଜାଣିବା ପାଇଁା ତାହାକୁ ଫୋରେନ୍ସିକ୍‌ ଲାବୋରେଟୋରିକୁ ପଠାଯାଇଛି। ଅଧିକ ତଦନ୍ତ ପାଇଁ ତାଙ୍କୁ ପୁଣି ଡକାଯାଇପାରେ ବୋଲି ପୋଲିସ କହିଛି। ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ୍‌ ପତ୍ରିକା ‘ପେପର୍‌’ ମାଗାଜିନ୍‌ ପାଇଁ ରଣବୀର କିଛି ନଗ୍ନ ଫଟୋଶୁଟ୍‌ କରିଥିଲେ। ଜୁଲାଇ ୨୧ ତାରିଖରୁ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏହି ଘଟଣାକୁ ତୀବ୍ର ବିରୋଧ ପରେ ଉକ୍ତ ମାମଲାରେ ରଣବୀର ଅଗଷ୍ଟରେ ମୁମ୍ବାଇର ଚେମ୍ବୁର ପୋଲିସ ଥାନାରେ ହାଜର ହୋଇଥିଲେ। ସେଠାରେ ପୋଲିସ ତାଙ୍କୁ ୨ ଘଣ୍ଟା ଜେରା କରି ବୟାନ ରେକର୍ଡ କରିଥିଲା।

Share