ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ। ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆଁ ଖାଇବେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରୀତିନୀତି ଅନୁସାରେ ପାଳନ କରାଯିବ। ପରମ୍ପରା ଅନୁସାରେ ନୂଆଁ ଖାଇବା ପରେ ଜୁହାରଭେଟ ହେବ। ଛୋଟ ପିଲାମାନେ ଗରୁଜନମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି।

ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁ କେବଳ ପରମ୍ପରା ରକ୍ଷା କରି ପାଳନ କରାଯିବ। ବିଭିନ୍ନ ସ୍ଥାନରେ ଭେଟଘାଟ କାର୍ଯ୍ୟକ୍ରମ ହେବ ନାହିଁ। ନୂଆଁଖାଇ ଉପଲକ୍ଷେ ମାଁ ସମଲେଙ୍କ ସମେତ ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ନୀତି ସମ୍ପନ୍ନ ହୋଇଛି। ସକାଳ ୮ଟାରେ ୧୧୫ ଦେବଦେବୀଙ୍କୁ ସ୍ନାନ କରାଯାଇଛି। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ସିନ୍ଦୂର ଓ ଜଡାତେଲ ମିଶ୍ରଣ କରି ସିନ୍ଦୂର ପ୍ରସ୍ତୁତ କରିଥିଲେ। ପ୍ରଥମେ ଶୀତଳା ଦେବୀଙ୍କୁ ପୂଜକମାନେ ସିନ୍ଦୂର ଅର୍ପଣ କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା ମନ୍ଦିର ଅଞ୍ଚଳ। କ୍ରମାନ୍ବୟରେ ଦେବଦେବୀଙ୍କୁ ସିନ୍ଦୂର ଅର୍ପଣ କରି ପ୍ରଣିପାତ କରାଯାଇଥିଲା। ସିନ୍ଦୂର ଅର୍ପଣ ସହ ସମଲେଇଙ୍କ ଆଭୁଷଣ ପ୍ରସ୍ତୁତ କରାଯାଇଛି। ସନ୍ଧ୍ୟା ୬ଟାରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ଦେବୀଙ୍କ ପ୍ରିୟ ସାରୁପତ୍ର ପହଞ୍ଚିଛି। ସାରୁ ପତ୍ରରେ ଶାଗ ପ୍ରସ୍ତୁତ କରି ସମଲେଇଙ୍କୁ ଅର୍ପଣ କରିବା ବିଧି ରହିଛି। ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ବୌଦ୍ଧ ଜିଲାର ଭୈରବୀ, ନୂଆଁପଡାର ଟାନ୍‌ୱାଟ୍‌ କଣା ଭଇଁରା, ବରଗଡ଼ ଓ ଝାରସୁଗୁଡ଼ାର ସମଲେଇ, ସୁନ୍ଦରଗଡ ଜିଲାର ସମଲେଇ ଓ ଶିଖରବାସିନୀ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ପୀଠରେ ନୂଆଁଖାଇ ଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଅନ୍ୟପକ୍ଷେ ଗାଁ ଓ ସହର ଛାଡି ଦୂରରେ ରହୁଥିବା ପରିବାରବର୍ଗ ଗୁରୁବାର ଆସି ପହଞ୍ଚତ୍ଛନ୍ତି। ଏଥିଲାଗି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ରେଲଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଅଟୋଷ୍ଟାଣ୍ଡ ଓ ରିକ୍ସାଷ୍ଟାଣ୍ଡରେ ଭିଡ ଲାଗିରହିଥିଲା।