ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ ଲାଗିଥିବା ନବାନ୍ନ ଭୋଗ ଘରକୁ ନେଇଥିଲେ। ସେହି ଭୋଗ ପୁଣି ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆଁ ଖାଇଥିଲେ। ସେହିପରି ଗାଁରେ ମଧ୍ୟ ଆରାଧ୍ୟ ଦେବତାଙ୍କଠାରେ ନବାନ୍ନ ଲାଗିବା ପରେ ସେଠାରୁ ନବାନ୍ନ ନେଇ ନିଜ ଇଷ୍ଟଦେବୀଙ୍କୁ ସମର୍ପଣକରି ଲୋକେ ନୂଆଁ ଖାଇଥିଲେ।

ନୂଆଖାଇଁର ଅନନ୍ୟ ପରମ୍ପରା ହେଉଛି ପରିବାରର ସମସ୍ତ ସଦସ୍ୟ ଏକାଠି ହେବା। ପରିବାରର ମୁଖିଆ ଇଷ୍ଟଦେବୀ ତଥା ଅନ୍ୟ ଦିଅଁ ଦେବତାଙ୍କଠାରେ ନୂଆ ଅନ୍ନ ଅର୍ପଣକରିବା ପରେ ସମସ୍ତଙ୍କୁ ବାଣ୍ଟିବା ପରମ୍ପରା ଏବେ ବି ଘରେ ଘରେ ବଞ୍ଚତ୍ରହିଛି। ଜିଲାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ନୂଆଁଖାଇ ପାଳନ କରିଥିଲେ। ଗୁରୁବାର ସକାଳେ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠା, ଖିରି, ନୂଆଧାନର ଚୁଡ଼ା ଇଷ୍ଟ ଦେବଦେବୀଙ୍କୁ ନିକଟରେ ଲାଗି କରାଯାଇଥିଲା। ପରେ ପରିବାରର ସମସ୍ତେ ଏକାଠି ବସି ଭକ୍ଷଣ କରିଥିଲେ। ବିଶେଷକରି ବ୍ରାହ୍ମଣ, ପାଇକ, ମେହେର, ବଙ୍କା, କୁମ୍ଭାର, ମାଳୀ, ଦଳିତ, ଆଦିବାସୀ, ଲୋହରା, ଯାଦବ ଆଦି ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନୂଆଁ ଖାଇଛନ୍ତି।

ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିଜ ଗ୍ରାମ ନୂଆଗୁଡ଼ାକୁ ଆସି ପରିବାର ସହ ନୂଆଁଖାଇରେ ସାମିଲ ହୋଇଥିଲେ। ସେହିପରି ଚିଚୈଗୁଡ଼ାରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଓ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଡ. ଅଜୟ ପଣ୍ଡା ମଧ୍ୟ ତାଙ୍କ ପରିବାର ସହ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପରେ ପ୍ରଥମେ ନିଜ ସମ୍ପ୍ରଦାୟର ବୟୋଜ୍ୟେଷ୍ଠଙ୍କୁ ପ୍ରଣାମକରି ଗାଁ ଦାଣ୍ଡରେ ଗ୍ରାମବାସୀଙ୍କ ସହ ଜୁହାର ଭେଟ କରି ଦିଅଁଦର୍ଶନ ପରମ୍ପରା ରହିଛି। ସେହି ଅନୁଯାୟୀ ଅପରାହ୍ନରୁ ସା ପର୍ଯ୍ୟନ୍ତ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।


