ଭଞ୍ଜନଗର,୮।୧(ବାବୁଲା ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଶୁକ୍ରବାର ଅଚାନକ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ପରିଦର୍ଶନରେ କରିଥିଲେ। ଡ. ପଣ୍ଡା ଗତ ସେପ୍ଟେମ୍ବର ମାସରେ ସ୍ବତନ୍ତ୍ର ଚାରାରୋପଣ କ୍ୟାମ୍ପରେ ଲାଗିଥିବା ଚାରା ଗୁଡ଼ିକର ବର୍ତ୍ତମାନ ସ୍ଥିତି କିଭଳି ଅଛି ବୁଲି ଦେଖିଥିଲେ। ଏହାପରେ ଡ ପଣ୍ଡା ସେଠାରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ। ଏଥିସହ ପୂର୍ବରୁ କ୍ୟାମ୍ପରେ ଲାଗିଥିବା ଚାରା କିଭଳି ବଢିବ ଏବଂ ତାହାର ସୁରକ୍ଷା ଉପରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ
ଦେଇଥିଲେ। ଏଥିସହ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ସେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଭବିଷ୍ୟତ କିଭଳି ଗଠନ କରିବେ, ଏନ ଏସ ଏସ ସ୍ବେଚ୍ଛାସେବୀଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ବୁଝାଇଥିଲେ। କଲେଜ ଏବଂ
ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ଭବିଷ୍ୟତ ଗଢ଼ିବା ହେଉଛି ଛାତ୍ରୀଛାତ୍ରଙ୍କ ପ୍ରକୃତ ସମୟ।
ଏହି ସମୟରେ ଛାତ୍ରୀଛାତ୍ରମାନେ ନିଜ ଭବିଷ୍ୟତ ପ୍ରତି ସଚେତନ ହେବାକୁ ଉପସ୍ଥିତ ସ୍ବେଚ୍ଛାସେବୀଙ୍କୁ ସେ ଆହ୍ବାନ କରିଥିଲେ। ଏହାପରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଗଞ୍ଜାମ ଜିଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ, ଏନ ଏସ ଏସ କର୍ମଚାରୀ ଚିରଞ୍ଜିବି ବାଡତ୍ୟା, କଲେଜ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ, ଶାଖା ୨ ଅଧିକାରିଣୀ ସସ୍ମିତା କୁମାରୀ ଦାସଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ସମୟରେ ଡ ପଣ୍ଡା ଏନ ଏସ ଏସ ଅର୍ଥ କିଭଳି ସଦବିନିଯୋଗ ହୋଇପାରିବ ସେ ନେଇ କହିଥିଲେ। ପୂର୍ବରୁ ଆସିଥିବା ସମସ୍ତ ଅର୍ଥ ୧୦ ତାରିଖ ସୁଦ୍ଧା ଉଠାଇ ଖର୍ଚ୍ଚ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ଏବଂ ଜାତୀୟ ଯୋଜନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରତ୍ୟେକ ଛାତ୍ରୀଛାତ୍ର ନାମ ଲେଖାଇବା ସମୟରେ ଏନଏସଏସ ପାଇଁ ୨୦ ଟଙ୍କା ଅର୍ଥ ବାନ୍ଧିଥାନ୍ତି। ସେଥିମଧ୍ୟରୁ ବିଶ୍ବବିଦ୍ୟାଳୟକୁ ୧୨ ଟଙ୍କା ଯାଉଛି। କଲେଜ ପାଖରେ ଆଉ ୮ ଟଙ୍କା ରହୁଛି। ଉକ୍ତ ଅର୍ଥ ଏନଏସଏସ ଶାଖା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ଅର୍ଥ ଖର୍ଚ୍ଚ କିଭଳି ହେବ ସେନେଇ ମଧ୍ୟ ଡ ପଣ୍ଡା ପରାମର୍ଶ ଦେଇଥିଲେ । ଏହାପରେ ଡ. ପଣ୍ଡା କନ୍ଧମାଳ ଜିଲା ଟିକାବାଲି ଓ ଫୁଲବାଣୀ କଲେଜ ଅଭିମୁଖେ ଚାଲିଯାଇଥିଲେ।
Dharitri – Odisha’s No.1 Odia Daily


