ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ ଚାଷୀମାନଙ୍କୁ କୃଷି ତାଲିମ, ଉନ୍ନତ ବିହନ ବଣ୍ଟନ, ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମେତ ଏକ କୃଷି ରଥ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅନ୍ତର୍ଗତ ୩୧ ପଞ୍ଚାୟତରୁ ଯୋଗଦେଇଥିବା କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କୃଷକ ପଞ୍ଜୀକରଣ ରଥକୁ ଅଧ୍ୟକ୍ଷ ପ୍ରଧାନ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏହି ରଥ ସମସ୍ତ ପଞ୍ଚାୟତକୁ ପରିକ୍ରମା କରି ପଞ୍ଜୀକରଣ ଉପରେ ସଚେତନ କରିବ। ମୌସୁମୀ ବାୟୁ ଆଗମନ ପୂର୍ବରୁ ଉନ୍ନତ ଗୁଣାତ୍ମକ ମାନର ବିହନ, ମଞ୍ଜି ବଣ୍ଟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅପରପକ୍ଷରେ ସଫଳ ଚାଷୀମାନଙ୍କୁ କୃଷି ତାଲିମ ପ୍ରଦାନ ପାଇଁ ରାଜ୍ୟ ବାହାରେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ମହିଳା ଗୋଷ୍ଠୀମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି କୃଷି ବଗିଚାରେ ବିଭିନ୍ନ ଚାରା ରୋପଣ କରି ଫଳ, ଫୁଲ, ପନିପରିବା, ଛତୁ, ମାଛ ଜାଆଁଳ ଉତ୍ପାଦନ, ଗୋପାଳନ, କୁକୁଡା ଚାଷ ଆଦି ପାଇଁ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ସ୍ଥିର କରାଯାଇଛି ବୋଲି ଉପସ୍ଥିତ ଅଧିକାରୀମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ପ୍ରଦୋଷ କୁମାର ବେହେରା, ଉଦ୍ୟାନ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ମହପାତ୍ର , ପ୍ରାଣୀଧନ ଚିକିତ୍ସକ ମନୋଜ କୁମାର ଦାସ, ମତ୍ସ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ କ୍ରିଷ୍ଣପଦ ମଣ୍ଡଳ, ବ୍ଲକ କୃଷକ ସାଥୀ ସଭାପତି ଅଭିଜିତ ଗୌତମ ଦାସ, ଆତ୍ମା ବୋର୍ଡର ସଦସ୍ୟ, କୃଷିସାଥୀ ପ୍ରମୁଖ ଉପସ୍ଥିତ ଥିଲେ।