ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ ବିକ୍ରି କରି ପାରିନାହାନ୍ତି। ବିଭାଗୀୟ ଅବହେଳା ଯୋଗୁ ସେମାନେ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଥିବାରୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ସୁଫଳ ନ ପାଇବାରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଗତମାସ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଧାରଣାରେ ବସିଛନ୍ତି। ଏହାସତ୍ତ୍ୱେ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ନିର୍ବିକାର ରହିଛନ୍ତି। ଅନ୍ୟପଟେ ଚାଷୀଙ୍କ ଏହି ଧାରଣାକୁ ସମର୍ଥନ ବଢ଼ିବାରେ ଚାଲିଛି। ସୋମବାର ବରଗଡ଼ ଜିଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ଧାରଣାସ୍ଥଳକୁ ପହଞ୍ଚିଥିଲେ। ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ ଏବଂ ଆବଶ୍ୟକ ପଡ଼ିଲେ ଚାଷୀଙ୍କୁ ନ୍ୟାୟିକ ସହଯୋଗ ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘର ପ୍ରତିନିଧିବୃନ୍ଦ କହିଥିଲେ।
ସୂଚନା ଅନୁଯାୟୀ, ଉପରୋକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଗତ ଖରିଫ ଧାନ ସଂଗ୍ରହ ପାଇଁ ହୋଇଥିବା ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ଚାଷୀମାନେ ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜାତ୍ ପ୍ରଦାନ କରି ଧାନବିକ୍ରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ଅନେକ ଚାଷୀଙ୍କୁ ପଞ୍ଜୀକରଣରୁ ବାଦ୍ ଦିଆଯାଇଛି। ସେମାନେ ଅମଳ କରିଥିବା ଧାନ ମଧ୍ୟରୁ ବିକ୍ରିଯୋଗ୍ୟ ପ୍ରାୟ ୨୫ହଜାର ପକେଟ୍ ଧାନ ସହରାଟିକ୍ରା ମଣ୍ଡି ଉପରେ ପଡ଼ି ରହିଛି। ଏହି ଧାନ କିଣିବା ପାଇଁ ଚାଷୀମାନେ ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ ହୋଇଥିଲେ। କେବଳ ସେତିକି ନୁହେଁ, ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଯୋଗାଣ ମନ୍ତ୍ରୀ, ମଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିଲେ। ତଥାପି ସମସ୍ୟା ଅସମାହିତ ରହିଛି। ଫଳରେ ଏହାର ପ୍ରତିବାଦରେ ଚାଷୀମାନେ ଖରା, ଝଡ଼ବର୍ଷା, କରାମାଡ଼ ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ସମସ୍ୟାର ସମାଧାନ କରିବା ତ ଦୂରର କଥା, କୌଣସି ନିର୍ବାଚିତ ବିଧାୟକ ଚାଷୀଙ୍କ ସହିତ ଆଲୋଚନା ପାଇଁ ସୁଦ୍ଧା ଧାରଣାସ୍ଥଳକୁ ପହଞ୍ଚି ନାହାନ୍ତି। ସେହିପରି ସମ୍ପୃକ୍ତ ଚାଷୀଙ୍କ ଧାନ କିଣିବାରେ ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ି ହାତ ଟେକି ଦେଇଛି। ଅନ୍ୟପଟେ ଚାଷୀଙ୍କ ଧାରଣାକୁ ସମର୍ଥନ ବଢ଼ି ଚାଲିଛି। ଜିଲାର ବିଭିନ୍ନ ଚାଷୀ ସଂଗଠନ ସମେତ ପଡ଼ୋଶୀ ସମ୍ବଲପୁର ଜିଲାର କୃଷକ ସଂଗଠନ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇ ସାରିଛନ୍ତି। ସେହିପରି ବିଜେଡ଼ି, କଂଗ୍ରେସ, ଆମ ଆଦମୀ ପାଟି, ସମ୍ବିଧାନ ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇ ଥିବାବେଳେ ଜିଲା ଓକିଲ ସଂଘ ଧାରଣାସ୍ଥଳକୁ ଆସି ଚାଷୀଙ୍କ ହକ୍ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି।
ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ଚାଷୀଙ୍କ ସହିତ ଧାରଣାରେ ବସିବା ସହିତ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଖରିଫରେ ଅମଳ ଧାନ ବିକ୍ରି କରି ନ ପାରି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଚାଷୀମାନେ ଜିଲା ଓକିଲ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ଓକିଲ ସଂଘ ଚାଷୀମାନଙ୍କ ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇଥିଲା। ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ସଂଘର ପ୍ରତିନିଧିମାନେ କହିବା ସହିତ ପ୍ରଶାସନିକ ନୀରବତାକୁ ସମାଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ଏବଂ ଦରକାର ପଡ଼ିଲେ ଆଇନଗତ ସହଯୋଗ କରାଯିବ ବୋଲି ମଧ୍ୟ ଓକିଲ ସଂଘର ପ୍ରତିନିଧିବୃନ୍ଦ କହିଥିଲେ। ସଂଘର ସଭାପତି ସରାଫଙ୍କ ସମେତ ସମ୍ପାଦକ ହରିହର ପ୍ରଧାନ, ଉତ୍ତର ପ୍ରଧାନ, ସନକ ଦାଶ, ସନ୍ତୋଷ ଦାଶ, ଅଧିକାରୀ ପ୍ରଧାନ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

