ଦିନେ ଖାଇବାକୁ ମିଳୁ ନ ଥିଲା, ଏବେ ସଫଳ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ନିକଟରେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ତାଙ୍କ ସଂଘର୍ଷ ବେଳର କାହାଣୀ ଶେୟାର କରିଛନ୍ତି, ଯାହାର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଅନେକ ଘରୋଇ ସଂସ୍ଥାରେ ସେ ଚାକିରି କରିଥିଲେ। ରୋଜଗାର ଟଙ୍କାରେ ଚଳିବା ଖୁବ୍‌ କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ଦିନକୁ ମାତ୍ର ଦୁଇଓଳା ଖାଇ ସେ ରହିଥିବା କହିଛନ୍ତି। କିନ୍ତୁ ଜୀବନରେ କିଛି କରି ଦେଖାଇବାର ଆଗ୍ରହ ତାଙ୍କ ମନରୁ ହଟାଇ ନ ଥିଲେ। ସାଉଥ୍‌ ଇଣ୍ଡଷ୍ଟ୍ରିରେ କାମ କରିବା ସେ ଯେତେବେଳେ ଆରମ୍ଭ କଲେ ସେତେବେଳେ ତାଙ୍କ ପାଖରେ କିଛି ନ ଥିଲା। ବହୁ କଷ୍ଟ କରିବା ପରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା, ଏବଂ କ୍ୟାରିୟର୍‌ରେ ସଫଳତା ପାଇବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିବା ସେ କହିଛନ୍ତି।

Share