ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣଙ୍କୁ ଧରିଲେ ଯବାନ

ମାଲକାନଗିରି, ୧୦ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ରେ କୋମ୍ବିଂ ଅପରେଶନ ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ସେ ହେଲେ ଲକ୍ଷ୍ମଣ ପଡିଆମୀ। ପୂର୍ବରୁ ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସୂଚନା ମୁତାବକ, ତୁଳସୀ ପାହାଡ଼ ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ରହିଥିବା ଖବର ପାଇ ଶନିବାର ବିଏସ୍‌ଏଫ୍‌ ଓ ଏସଓଜି ଯବାନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସମୟରେ କେତେଜଣ ମାଓବାଦୀ ଜଙ୍ଗଲରେ ଯବାନଙ୍କୁ ଦେଖି ଲୁଚି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣଙ୍କୁ ଯବାନମାନେ କାବୁ କରିବାରେ ସଫଳ ହୋଇଥିଲେ।

ଲକ୍ଷ୍ମଣ ଓଡ଼ିଶା ଓ ଛତିଶଗଡ଼ରେ ଅନେକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ୨୦୧୭ରୁ ଆନ୍ଧ୍ର-ଛତିଶଗଡ଼ ସୀମାବର୍ତ୍ତୀ ଦଣ୍ଡକାରଣ୍ୟ ସ୍ପେଶାଲ୍‌ ଜୋନାଲ କମିଟି ସଦସ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ହତ୍ୟାକାଣ୍ଡ, ପୋଲିସ ଉପରକୁ ଆକ୍ରମଣ, ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ କରିବା ଭଳି ଅନେକ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ମାଲକାନଗିରି ଏସ୍‌ପି ନିତେଶ ଓ୍ବାଧଓ୍ବାନି ସୂଚନା ଦେଇଛନ୍ତି ।