ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍‌

ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ ହେବ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ କୋଠାକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ଉକ୍ତ ଘର ସମ୍ମୁଖରେ ଗଙ୍ଗାଧର ପ୍ରଧାନଙ୍କ ନାମରେ ଜବରଦଖଲ ନେଇ ନୋଟିସ ଝୁଲାଇ ଦିଆଯାଇଛି।
ଭଞ୍ଜନଗର ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ନିର୍ମାଣ ସମୟରେ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ରହିବା ପାଇଁ ଛୋଟ ଘର କେତୋଟି ନିର୍ମାଣ ହୋଇଥିଲା। ଏହାପରେ ଜନସ୍ବାସ୍ଥ୍ୟ ବିଭାଗରୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଲଗା ହୋଇଥିଲା। ଏହି ସମୟରେ ଉକ୍ତ ଘର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ରେକର୍ଡ଼କୁ ଚାଲିଯାଇଥିଲା। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ଏକ କର୍ମଚାରୀ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଅଞ୍ଚଳରେ ଥିବା କ୍ୱାର୍ଟର୍ସରେ ରହି ଆସୁଥିଲେ। ବର୍ତ୍ତମାନ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ କୋଠା ନିକଟରେ ନୂତନ କୋଠା ନିର୍ମାଣ ହେଉଛି । ତେଣୁ ସମ୍ପୃକ୍ତ କ୍ୱାର୍ଟର୍ସଟିକୁ ଭାଙ୍ଗିବା ଆବଶ୍ୟକ ଥିଲା । କିନ୍ତୁ କର୍ମଚାରୀ ଜଣଙ୍କ କ୍ୱାର୍ଟର୍ସ ନଛାଡ଼ିବାରୁ ବର୍ତ୍ତମାନ ରାଜସ୍ବ ବିଭାଗ ପକ୍ଷରୁ ତାହାକୁ ଭାଙ୍ଗିବା ପାଇଁ ନୋଟିସ ମରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ଘରଟି ଚୌକିଦାରଙ୍କ ପାଇଁ ନିର୍ମାଣ ହୋଇଥିଲା। ଉକ୍ତ ଘରେ କାର୍ଯ୍ୟାଳୟର ଜଣେ କର୍ମଚାରୀ ରହୁଥିଲେ। ତେଣୁ ତାଙ୍କୁ ଘର ଭଡ଼ା ପ୍ରଦାନ କରାଯାଉ ନ ଥିଲା । ଉକ୍ତ କର୍ମଚାରୀଙ୍କୁ ୨ବର୍ଷ ହେବ ବେଲଗୁଣ୍ଠାକୁ ଡ଼େପୁଟେଶନରେ ପଠାଯାଇଛି । ବର୍ତ୍ତମାନ ଉକ୍ତ ଘରେ କିଏ ରହୁନାହାନ୍ତି।ସେହିଭଳି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ କହିଛନ୍ତି, ଏହା ଆମ ବିଭାଗର ଅଞ୍ଚଳ। ବେନିୟମ ଭାବେ ଏଠାରେ ଜନସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ରହୁଛନ୍ତି । ଏହାଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେଉଛି।