ବିଡିଓ, ଜନସୂଚନା ଅଧିକାରୀଙ୍କୁ ସାନି ନୋଟିସ ଜାରି

ହାଟଡିହୀ,୩ା୩(ଶୁଭକାନ୍ତ ନାୟକ): ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓ ଏବଂ ଜନସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ବିକେ ମହାପାତ୍ର ସାନି ନୋଟିସ ଜାରି କରିଛନ୍ତି। ଉକ୍ତ ଦୁଇ ଅଧିକାରୀ ପୂର୍ବରୁ ହୋଇଥିବା ଶୁଣାଣି ଅନୁପସ୍ଥିତ ଥିବା ଏବଂ ରିପୋର୍ଟ ପ୍ରଦାନ କରି ନ ଥିବାରୁ ଏପରି ସାନି ନୋଟିସ ଜାରି ହୋଇଛି l ଆରଟିଆଇ ଆକ୍ଟ ସେକ୍ସନ ୧୯(୮)(ବି) ଏବଂ (ସି) ଅନୁସାରେ କାହିଁକି କ୍ଷତିପୂରଣ ଏବଂ ଜରିମାନା ଆଦେଶ ଜାରି କରା ନ ଯିବ ସେ ବାବଦରେ ଆସନ୍ତା ୨.୪.୨୦୨୪ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ନ କଲେ ପୁନର୍ବାର ସୁଯୋଗ ପ୍ରଦାନ କରାଯିବନି ବୋଲି ଆଦେଶ ରହିଛି। ଏଥିସହ କମିଶନରଙ୍କ ଆଦେଶ ପାଇବାର ଏକ ମାସ ମଧ୍ୟରେ ସୂଚନା ପ୍ରଦାନ କରିବାକୁ ଜନସୂଚନା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ବ୍ୟକ୍ତି ଗତ ୨୦୨୨ ବର୍ଷ ପଞ୍ଚାୟତ ଅନୁଷ୍ଠାନ ପାଇଁ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବ୍ଲକକୁ ମିଳିଥିବା ସରକାରୀ ଅନୁଦାନ ଏବଂ ଖର୍ଚ୍ଚ ସମ୍ପର୍କିତ କାଗଜାତ ସୂଚନା ଅଧିକାର ଆଇନ ବଳରେ ଗତ ୪.୧୧.୨୦୨୨ ରେ ହାଟଡିହୀ ବ୍ଲକ ଜନ ସୂଚନା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆବେଦନ କରିଥିଲେ। କିନ୍ତୁ କୌଣସି ସୂଚନା ପ୍ରଦାନ ହୋଇ ନ ଥିଲା l ଫଳରେ ୧୪.୧୨.୨୦୨୨ରେ ପ୍ରଥମ ଅପିଲ ବିଡିଓଙ୍କ ନିକଟରେ ହୋଇଥିଲା l ଉକ୍ତ ଅପିଲ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ୨୦.୩.୨୦୨୩ ରେ ଦିତୀୟ ଅପିଲ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦାୟର ହୋଇଥିଲା। ଦିତୀୟ ଅପିଲ ନଂ ୧୦୬୧/୨୦୨୩ ଅଟେ। କମିଶନର ନୋଟିସ ଜାରି କରି ଘଟଣାର ସ୍ଥିତାବସ୍ଥା ରିପୋର୍ଟ ଦାଖଲ ଏବଂ ଶୁଣାଣି ପାଇଁ ୧୮.୧.୨୦୨୪କୁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ବିଡିଓ ଏବଂ ଜନସୂଚନା ଅଧିକାରୀ ଅନୁପସ୍ଥିତ ଥିବା ବେଳେ କୌଣସି ରିପୋର୍ଟ ପ୍ରଦାନ କରି ନ ଥିଲେ। ଫଳରେ କମିଶନର ଏହାକୁ ଗୁରୁତ୍ୱର ସହ ନେଇଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ସାନି ନୋଟିସ ଜାରି କରିଛନ୍ତି।