ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଅଚଳ ହୋଇପଡ଼ିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏହାର ମରାମତି ହୋଇପାରୁନି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଅନ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନାହିଁ। ଫଳରେ ଗୁରୁତର ରୋଗୀମାନେ ବାଧ୍ୟହୋଇ ଘରୋଇ ଆମ୍ବୁଲାନ୍ସ ଭଡ଼ାରେ ନେଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗୋପବନ୍ଧୁ ନଗର ବ୍ଲକର ୧୩ଟି ଏବଂ ଖୁଣ୍ଟା ବ୍ଳକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ମାତ୍ର ଗତ କିଛି ଦିନ ହେଲା ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ ସେବା ପାଇ ପାରିବାରୁ ବଞ୍ଚିତ ରହିଛନ୍ତି। ସିଏଚସି ମୁଖ୍ୟସ୍ଥଳରୁ ୧୭ କି.ମି. ଦୂର ଉଦଳା ଓ ୩୦ କି.ମି ଦୂରରେ ଥିବା ବାରିପଦା କିମ୍ବା ୧୫ କି.ମି ଦୂର ବଡ଼ସାହି ଆଦି ଚିକିତ୍ସାକେନ୍ଦ୍ରକୁ ଯିବା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନର ଜିଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଜରିଆରେ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଗଠନର ବିଶ୍ବଜିତ ମୁର୍ମୁ, କୃଷ୍ଣଚନ୍ଦ୍ର ହେମ୍ବ୍ରମ, କମଲ ବାସ୍କେ, ମୋହନ ସିଂ, ପିଥୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।