ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ ଫେଷ୍ଟିଭାଲ’ରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଜଣେ ମଦ୍ୟପ କାର ଚାଳକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡ଼ିଛି।
ମୁମ୍ବାଇର ସୁନବର୍ଣ୍ଣ ଫେଷ୍ଟିଭାଲକୁ ଯିବା ବାଟରେ ଜଣେ ମଦ୍ୟପ ଚାଳକ ଦ୍ରୁତ ଗତିରେ ଆସି ନୋରାଙ୍କ କାରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରୀ ପରୀକ୍ଷା ଓ ସିଟି ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି, କିନ୍ତୁ କୌଣସି ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇନାହିଁ।
ଡାକ୍ତରମାନେ ନୋରାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ସେ ନିଜର ବୃତ୍ତିଗତ ପ୍ରତିଶ୍ରୁତି ରକ୍ଷା କରିଥିଲେ। ଅସୁସ୍ଥତା ସତ୍ତ୍ୱେ ସେ ଶନିବାର ରାତିରେ ସୁନବର୍ଣ୍ଣ ୨୦୨୫ କନସର୍ଟରେ ବିଶ୍ୱପ୍ରସିଦ୍ଧ ଡିଜେ ଡେଭିଡ ଗୁଏଟାଙ୍କ ସହ ମଞ୍ଚରେ ଉପସ୍ଥିତ ରହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ନୋରା ତାଙ୍କର ଆଗାମୀ ଆନ୍ତର୍ଜାତୀୟ ସିଙ୍ଗଲ୍ର ଏକ ଝଲକ ଦେଖାଇଛନ୍ତି। ଏହି ଗୀତ ପାଇଁ ସେ ଡେଭିଡ ଗୁଏଟା ଏବଂ ଆମେରିକୀୟ ଗାୟିକା ସିଆରାଙ୍କ ସହ ମିଶି କାମ କରିଛନ୍ତି। ସୂଚନାଯୋଗ୍ୟ ଯେ, ନୋରା ନିକଟରେ ଆମେରିକାର ପ୍ରସିଦ୍ଧ ଟେଲିଭିଜନ ଶୋ ‘ଦ ଟୁନାଇଟ୍ ଶୋ ଷ୍ଟାରିଙ୍ଗ ଜିମି ଫାଲନ’ରେ ନିଜର ପ୍ରଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଥିଲେ।


