ଭଙ୍ଗାଯାଉନି ବିପଦସଙ୍କୁଳ ଅଙ୍ଗନୱାଡି ଗୃହ

ସାଲେପୁର,୨୮।୧୨(ଡି.ଏନ୍‌.ଏ.): ପିଲାମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏସବୁ ଯୋଜନା ଲାଭ ପିଲାମାନେ ଉଠାଇପାରୁନାହାନ୍ତି। ଏହାର ଉଦାହରଣ ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତର ଗଣେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ଚାଲିଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୃହ ବିପଦସଙ୍କୁଳ ହୋଇପଡ଼ିଛି। ଏନେଇ ୭ ବର୍ଷ ହେବ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ମାତ୍ର ବିଦ୍ୟାଳୟ ଗୃହକୁ ଭାଙ୍ଗି ନୂତନ ନିର୍ମାଣ କରାଯାଉ ନାହିଁ। ଫଳରେ କୁନି ପିଲାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୃହ ନ ଥିବାରୁ ସେମାନେ ଖରା, ବର୍ଷା ଓ ଶୀତରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ୨ବର୍ଷ ହେବ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ନୂଆ ଜାଗା ଚିହ୍ନଟ ହୋଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ପୁରାତନ ଗୃହ ଭଙ୍ଗା ଯିବା ପାଇଁ ଅନୁମତି ମିଳୁନାହିଁ। ଫଳରେ ନୂତନଗୃହ ନିର୍ମାଣ ହୋଇପାରୁନାହିଁ ବୋଲି ଗ୍ରାମର ଲିଙ୍ଗରାଜ ପାଣି, ରାମଚନ୍ଦ୍ର ପାଣି, ରଞ୍ଜନ ବିଶ୍ୱାଳ, ଗୋଲଖ ଚନ୍ଦ୍ର ବିଶ୍ୱାଳ, ବାବାଜୀ ଦାସ, ଦୀପକ ପାଣି, ସତ୍ୟରନ ପ୍ରଧାନ, ସରପଞ୍ଚ ସୁଧାଂଶୁବାଳା ଜେନା, ସମିତିସଭ୍ୟ ସରୋଜ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ବିଡିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏନେଇ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଗ୍ରାମବାସୀ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।