Categories: ଖେଳ

‘କେହି ଭାରତ ଯିବାକୁ ମନା କରିପାରିବେ ନାହିଁ’

ମେଲବୋର୍ନ,୨୩।୯: କୌଣସି ଦଳ ଭାରତକୁ ଗସ୍ତ କରିବାକୁ ମନା କରିବେ ନାହିଁ। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ  ଗସ୍ତକୁ ବାତିଲ କରିବା ଖେଳାଳି ଓ ସଂଗଠନଙ୍କ ପକ୍ଷେ ସହଜ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତକୁ ବାତିଲ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିଆନ କ୍ରିକେଟର ଉସମାନ ଖ୍ବାଜା।

ମୋତେ ଲାଗୁଛି ଖେଳାଳି ଓ ସଂଗଠନଗୁଡ଼ିକ ପାଇଁ ପାକିସ୍ତାନକୁ ମନା କରିବାକୁ ସହଜ ହୋଇଯାଇଛି। କାରଣ ଏହା ପାକିସ୍ତାନ। ବାଂଲାଦେଶ କ୍ଷେତ୍ରରେ ମଧ୍ୟ ଏହି ନୀତିକୁ କାର୍ଯ୍ୟକାରୀ କରାଯାଇପାରେ। ଯଦି ଭାରତରେ ସମାନ ପରିସ୍ଥିତି ଦେଖାଦିଏ, ତଥାପି କୌଣସି ଦଳ ସେହି ଦେଶ ଗସ୍ତ କରିବାକୁ ମନା କରିବେ ନାହିଁ। ଏହାର କାରଣ ଟଙ୍କା। ଭାରତରେ କ୍ରିକେଟ ଖେଳିବା ସୁରକ୍ଷିତ ବୋଲି ସେମାନେ ଆୟୋଜିତ କରୁଥିବା ଟୁର୍ନାମେଣ୍ଟ ଜରିଆରେ ବାରମ୍ବାର ପ୍ରମାଣ କରି ଆସିଛନ୍ତି। ମୋ ମତରେ କ୍ରିକେଟ ନ ଖେଳି ଫେରିଯିବାର କିଛି କାରଣ ନାହିଁ ବୋଲି ଅଷ୍ଟ୍ରେଲିଆର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ କହିଛନ୍ତି। ତାଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ପୂରା ପରିବାର ଅଷ୍ଟ୍ରେଲିଆ ଚାଲି ଆସିଥିଲା।

ଯଦି ଆସନ୍ତା ବର୍ଷ ତାଙ୍କୁ ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ସୁଯୋଗ ମିଳେ, ତେବେ ସେ ଖୁସିରେ ପାକିସ୍ତାନ ଗସ୍ତ କରିବେ ବୋଲି ଖ୍ବାଜା କହିଛନ୍ତି।

Share