ଷ୍ଟକ୍ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ ସାହିତ୍ୟର ସୁନ୍ଦର ସମନ୍ବୟ ରଖି ନୂତନ ଶୈଳୀ ଓ ନବସୃଜନ ସୃଷ୍ଟି କରିଥିବାରୁ ସୁଇଡିସ୍ ଏକାଡେମୀ ପକ୍ଷରୁ ଗୁରୁବାର ତାଙ୍କ ନାମ ଘୋଷଣା କରାଯାଇଛି। ସୁଇଡିସ୍ ଏକାଡେମୀର ସ୍ଥାୟୀ ସଚିବ ଇଙ୍ଗ୍ରିଡ୍ କାର୍ଲବର୍ଗ କହିଛନ୍ତି, ନୋବେଲ କମିଟି ପକ୍ଷରୁ ଯୋଗାଯୋଗ କରାଯିବା ବେଳେ ୭୬ ବର୍ଷୀୟା କାର୍ସନ ଆଇସଲାଣ୍ଡ୍ରେ ଥିଲେ। ଏହି ବିଶ୍ୱସ୍ତରୀୟ ସମ୍ମାନଜନକ ପୁରସ୍କାର ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଟରଣ୍ଟୋରେ ଜନ୍ମଗ୍ରହଣ କରିଥିବା କାର୍ସନ ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ ସାହିତ୍ୟକୁ ନିଜ ରଚନାର ମୂଳ ଆଧାର ଭାବେ ଗ୍ରହଣ କରି କବିତା, ପ୍ରବନ୍ଧ ଏବଂ ଗଳ୍ପର ଅପୂର୍ବ ସମାହାର ସୃଷ୍ଟି କରିଛନ୍ତି। ତାଙ୍କର ପ୍ରସିଦ୍ଧ ପୁସ୍ତକଗୁଡ଼ିକ ମଧ୍ୟରେ ‘ଏରୋସ୍ ଦି ବିଟରସ୍ବିଟ’, ‘ଅଟୋବାୟୋଗ୍ରାଫି ଅଫ୍ ରେଡ୍’, ‘ମେନ୍ ଇନ୍ ଦି ଅଫ୍ ଆୱାର୍ସ’ ଏବଂ ମାରିଲିନ ମନରୋ ଓ ହେଲେନ୍ ଅଫ୍ ଟ୍ରୋଏଙ୍କୁ ନେଇ ରଚିତ ‘ନୋର୍ମା ଜିନ୍ ବେକର ଅଫ୍ ଟ୍ରୋଏ’ ଅନ୍ୟତମ। ୨୦୦୧ ମସିହାରେ ସେ କାନାଡାର ପ୍ରସିଦ୍ଧ ‘ଗ୍ରିଫିନ୍ ପ୍ରାଇଜ୍’ ଜିତିଥିଲେ।
ସାହିତ୍ୟ କମିଟିର ପ୍ରଶଂସା କରି ସାହିତ୍ୟ ନୋବେଲ କମିଟିର ଅଧ୍ୟକ୍ଷ ଆଣ୍ଡର୍ସ ଓଲସନ କହିଛନ୍ତି, ‘ଶବ୍ଦ ପ୍ରତି ଶାସ୍ତ୍ରଜ୍ଞଙ୍କ ଗଭୀର ଅନୁରାଗ ଏବଂ କବିଙ୍କର ନୂତନ ଅର୍ଥ ସୃଷ୍ଟି କରିବାର ଅଭିଳାଷର ସଙ୍ଗମ ସ୍ଥଳ ହିଁ ଆନେ କାର୍ସନଙ୍କ ସାହିତ୍ୟ ସୃଷ୍ଟି।’ କାର୍ସନ ପ୍ରାଚୀନ ଗ୍ରୀକ୍ ସାହିତ୍ୟର ଅନେକ କାଳଜୟୀ ରଚନାର ଅନୁବାଦ ମଧ୍ୟ କରିଛନ୍ତି। ସୋଫୋକ୍ଲିସ୍ଙ୍କ ‘ଇଲେକ୍ଟ୍ରା’, ‘ଆଣ୍ଟିଗୋନ’ ଏବଂ ୟୁରିପିଡିସ୍ଙ୍କ ‘ବକ୍କାଇ’ ଭଳି ନାଟକଗୁଡ଼ିକୁ ନେଇ କାର୍ସନ କରିଥିବା ଅନୁବାଦକୁ ସ୍ବତନ୍ତ୍ର ସାହିତି୍ୟକ କୃତିର ମାନ୍ୟତା ଦିଆଯାଏ। ଉତ୍ତର ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ସାହିତ୍ୟ ପଢ଼ାଉଥିବା କାର୍ସନ ଏବଂ ତାଙ୍କ ସ୍ବାମୀ ରୋବର୍ଟ କ୍ୟୁରି ୨୦୨୨ ମସିହାରେ ଆଇସ୍ଲାଣ୍ଡର ନାଗରିକତ୍ୱ ଗ୍ରହଣ କରିଥିଲେ।
ସୂଚନାଥାଉକି ଗତବର୍ଷ ହଙ୍ଗେରୀର ବିଶିଷ୍ଟ ଲେଖକ ଲାଜଲୋ କ୍ରାସ୍ନାହୋର୍କାଇଙ୍କୁ ସାହିତ୍ୟ ନୋବେଲ ପ୍ରଦାନ କରାଯାଇଥିଲା। ଚଳିତବର୍ଷର ଘୋଷଣାକୁ ଦେଖିଲେ, ଗତ ସୋମବାର ଚିକିତ୍ସା ବିଜ୍ଞାନ, ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ ନୋବେଲ ପୁରସ୍କାର ଘୋଷଣା ହୋଇଛି।