Categories: ବାଣିଜ୍ୟ

ମୋଦିଙ୍କୁ ନୋବେଲ ବିଜେତାଙ୍କ ସମାଲୋଚନା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍‌ ଷ୍ଟିଗ୍‌ଲିଜ ସମାଲୋଚନା କରିଛନ୍ତି। କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଅତି ନିକୃଷ୍ଟ ଧରଣର ବୋଲି ସେ ବିବେଚନା କରିଛନ୍ତି। ଫିକି ଇଷ୍ଟର୍ନ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏକ ଓ୍ବେବିନାରରେ ଷ୍ଟିଗ୍‌ଲିଜ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଧନୀଙ୍କ ଉପରେ ଟିକସ ଲାଗୁ କରିବା ସହ ନିମ୍ନ ସ୍ତରରେ ରହିଥିବା ଲୋକଙ୍କ ସହାୟତା ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି କେଉଁଭଳି ଦିଗକୁ ଧ୍ୟାନଦେବାକୁ ପଡିବ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ରଖି ସେ କହିଛନ୍ତି ଯେ, ଭାରତରେ ଅତି ଧନୀଙ୍କ ସଂଖ୍ୟା ଉନ୍ନତ ରହିଛି। ଆଗାମୀ ୨ ବର୍ଷ ଯାଏ ସରକାର ସେମାନଙ୍କ ଉପରେ ଟିକସ ଲାଗୁ କରିପାରିବେ। ଅର୍ଥ ବ୍ୟବସ୍ଥାରେ ଚାହିଦା ବଢ଼ାଇବାରେ ସହାୟକ ହେଲା ଭଳି କ୍ଷେତ୍ରଗୁଡିକରେ ଏହି ଅର୍ଥକୁ ଖର୍ଚ୍ଚ କରାଯାଇପାରିବ।
ସମାଜରେ ବସବାସ କରୁଥିବା ନିମ୍ନ ଆୟକାରୀ ବର୍ଗଙ୍କ ନିକଟରେ ଖର୍ଚ୍ଚ କରିବାର ସମ୍ଭାବନା ଅଧିକ ରହିଥାଏ। ଏଣୁ ଏହି ବର୍ଗ ନିକଟକୁ ଅର୍ଥ ଆସିଲେ ଏହା ଅର୍ଥ ବ୍ୟବସ୍ଥାରେ ଚାହିଦା ବୃଦ୍ଧି ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିଭଳି ସେ ମୋଦିଙ୍କର ଆତ୍ମନିର୍ଭର ଭାରତ ସ୍ଲୋଗାନକୁ ମଧ୍ୟ ସମାଲୋଚନା କରିଛନ୍ତି। ସବୁ କ୍ଷେତ୍ରରେ କୌଣସି ଦେଶ ବର୍ତ୍ତମାନ ସ୍ବୟଂ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ବିକଶିତ ଗଣତନ୍ତ୍ର ଥିବା ରାଷ୍ଟ୍ର ଯଥା ସୁଇଜରଲାଣ୍ଡ, ଜର୍ମାନୀ ଏବଂ ଦକ୍ଷିଣ କୋରିଆ କରୋନା ବିରୋଧରେ ଉନ୍ନତ ପରିଚାଳନା ବ୍ୟବସ୍ଥା ହାତକୁ ନେଇଛନ୍ତି। ସେହିଭଳି ଭାରତ, ବ୍ରାଜିଲ ଏବଂ ଆମେରିକାରେ ଚାଲୁଥିବା ମନମୁଖି ସରକାର ଯୋଗୁ କରୋନା ପରିଚାଳନାରେ ଅବ୍ୟବସ୍ଥା ଦେଖାଗଲା । ଏକ ବିଭାଜିତ ଘର କେବେ ବି ଦୃଢ଼ ଭାବେ ଛିଡ଼ା ହୋଇପାରିବ ନାହିଁ। ଏଣୁ ଏକ ଅଭିବୃଦ୍ଧି ପରିପନ୍ଥୀ ସମାଜ ଗଠନ ଦିଗରେ ସରକାର କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।

Share