ଅଭ୍ୟାସ ଲାଗି ନାହିଁ ଜମ୍ପିଂ ପିଟ୍‌

ବ୍ରହ୍ମପୁର ଅଫିସ,୩।୯: ହାଇଜମ୍ପ, ଲଙ୍ଗଜମ୍ପ ଓ ଟ୍ରିପଲ ଜମ୍ପ ଆଦି କ୍ରୀଡ଼ାରେ କ୍ଷେତ୍ରରେ ପୂର୍ବରୁ ପ୍ରତିବର୍ଷ ଗଞ୍ଜାମ ଜିଲାରୁ ୪୦ରୁ ୫୦ କ୍ରୀଡ଼ାବତ୍‌ ଜିଲା, ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେଇ ବହୁ ପଦକ ଅର୍ଜନ କରିଥିବା ନଜିର ରହିଛି। କିନ୍ତୁ ୨୦୧୮ ପରଠାରୁ ବ୍ରହ୍ମପୁର ସହରରେ ଏହି କ୍ରୀଡ଼ା ବନ୍ଦ ହୋଇଯିବା ଭଳି ମନେହେଉଛି। ଏସବୁ କ୍ରୀଡ଼ା ଅଭ୍ୟାସ ନିମନ୍ତେ ୯ ମିଟର ଲମ୍ବ ଓ ୩ ମିଟର ପ୍ରସ୍ଥ ବିଶିଷ୍ଟ ଜମ୍ପିଂ ପିଟ ଆବଶ୍ୟକ। କିନ୍ତୁ ସହରର କୌଣସି ପଡ଼ିଆ ମଧ୍ୟରେ ଏପରି ଭିତ୍ତିଭୂମି ଓ ଉପକରଣ ନ ଥିବାରୁ କ୍ରୀଡ଼ାବିତ୍‌ ନିୟମିତ ଅଭ୍ୟାସ କରିପାରୁ ନାହାନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଯେଉଁ ଗୋଟିଏ ଜମ୍ପିଂ ପିଟ ଥିଲା ତାହା ମଧ୍ୟ ବନ୍ଦ । ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ଯୋଗୁ ୨୦୧୮ ପରଠାରୁ କ୍ରୀଡ଼ାବିତଙ୍କ ଅଭ୍ୟାସ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଗତ ଏପ୍ରିଲ ମାସରେ ଜିଲାର ଜଣେ ମାତ୍ର କ୍ରୀଡ଼ାବିତ ଭାବେ କୁକୁଡ଼ାଖଣ୍ଡିର ରିତୁରାଜ ଦାସ ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟଠାରେ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏପଟେ ବିକଳ୍ପ ଭାବେ ଗଞ୍ଜାମ ଜିଲା କ୍ରୀଡ଼ାସଂଘ ଆଥଲେଟ କୋଚ ସୁରେନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ତାଙ୍କ ନିକଟରେ ତାଲିମ ନେଉଥିବା କେତେଜଣ କ୍ରୀଡ଼ାବିତ ନିଜ ଉଦ୍ୟମରେ ୟୁସିପି ଖେଳପଡ଼ିଆରେ ଏକ କାମଚଳା ଜମ୍ପିଂ ପିଟ କରି ଅଭ୍ୟାସ ଜାରି ରଖିଛନ୍ତି।